ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜନତାଙ୍କୁ ପଚାରିଥିବା ୭ଟି ପ୍ରଶ୍ନ

ଭୁବନେଶ୍ଵର(ସାକ୍‌ସୀ ନ୍ୟୁଜ): ଆଜି ଗଂଜାମର ଶେରଗଡ ଓ ଶୀତଳାପଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିକାଶମୂଳକ ଯୋଜନାର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମବେତ ଜନସାଧାରଣଙ୍କୁ ୭ଟି ପ୍ରଶ୍ନ ପଚାରିଥିଲେ । ସୂଚନାଯୋଗ୍ୟ ଯେ, ଏହି ୭ଟି ପ୍ରଶ୍ନରେ ହିଁ ଓଡିଶାର ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭଲ ପାଇବା ସ୍ପଷ୍ଟ ବାରି ହୋଇପଡୁଛି । ଏ ସରକାର ଯେ, ଲୋକଙ୍କ ସରକାର ତାହା ମଧ୍ୟ ଏଇ ପ୍ରଶ୍ନର ଉତ୍ତରରୁ ସ୍ପଷ୍ଟ ପ୍ରମାଣିତ ହେଉଛି ।

– ଗର୍ଭବତୀ ମହିଳାଙ୍କ ପାଇଁ କେଉଁ ଯୋଜନା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ?
-ଲକ୍ଷ୍ମୀ ବସ୍‌ରେ ମହିଳା ଓ ଛାତ୍ରଛାତ୍ରୀଙ୍କ ପାଇଁ ଭଡ଼ା କେତେ ?
– ମଧୁବାବୁ ପେନସନ ଯୋଜନାରେ ଭତ୍ତାରାଶି କେତେ ବୃଦ୍ଧି ହୋଇଛି ?
– ନୂଆ-ଓ ସ୍କଲାରସିପ୍‌ ଯୋଜନାରେ ଛାତ୍ର ଓ ଛାତ୍ରୀଙ୍କୁ କେତେ ଟଙ୍କା ବୃତ୍ତି ମିଳିବ ?
– ସ୍ୱୟମ ଯୋଜନାରେ କେତେ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯାଉଛି ?
– ମିଶନଶକ୍ତି ମହିଳାମାନେ ବିନା ସୁଧରେ କେତେ ଋଣ ପାଉଛନ୍ତି ?
– ବିଏସ୍‌କେୱାଇ ଯୋଜନାରେ ମହିଳାମାନେ କେତେ ଟଙ୍କାର ଚିକିତ୍ସା ସୁବିଧା ପାଉଛନ୍ତି ?

ଶେରଗଡ ଓ ଶିତଳାପଲ୍ଲୀରେ ଆୟୋଜିତ ସାଧାରଣ ସଭାରେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପଚାରିଥିଲେ ଯେ, ଗର୍ଭବତୀ ମହିଳାଙ୍କ ପାଇଁ କେଉଁ ଯୋଜନା ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଓ ଏହି ଯୋଜନାରେ ଦିଆଯାଉଥିବା ସହାୟତା ରାଶି କେତେ ? ସମବେତ ଜନତା ଏହାର ଉତ୍ତରରେ କହିଥିଲେ ଯେ, ପୂର୍ବରୁ ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୫ହଜାର ଟଙ୍କା ସହାୟତା ଦିଆଯାଉଥିଲା । ଗତକାଲି ମୁଖ୍ୟମନ୍ତ୍ରୀ ଏହି ସହାୟତା ରାଶିକୁ ଦୁଇଗୁଣା କରି ୧୦ହଜାର ଟଙ୍କା କରିଛନ୍ତି । ୨୦୨୩ ମସିହା ଅଗଷ୍ଟ ମାସରୁ ପଂଜିକୃତ ସବୁ ଗର୍ଭବତୀ ମହିଳା ଏହି ସହାୟତା ରାଶି ପାଇବେ ।
ଆସନ୍ତା ୨୧ ତାରିଖରେ ଗଂଜାମ ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ତେବେ ଏହି ଯୋଜନାରେ ମହିଳା ଓ ଛାତ୍ରଛାତ୍ରୀଙ୍କ ପାଇଁ ଭଡା କେତେ ବୋଲି ପ୍ରଶ୍ନ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ । ମହିଳା ଓ ଶିକ୍ଷାର୍ଥୀମାନେ ୫ ଟଙ୍କାରେ ପଂଚାୟତରୁ ବ୍ଲକକୁ ଯାତ୍ରା କରିପାରିବେ ବୋଲି ଆସିଥିଲା ଉତ୍ତର ।

ସେହିଭଳି ମଧୁବାବୁ ପେନସନ ଯୋଜନାରେ ଭତ୍ତା ରାଶି କେତେ ବୃଦ୍ଧି ହୋଇଛି ବୋଲି ପ୍ରଶ୍ନ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ । ମଧୁବାବୁ ପେନସନ ଯୋଜନାରେ ଭତ୍ତା ରାଶି ୫୦୦ ଟଙ୍କାରୁ ହଜାରେ ଟଙ୍କାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ସବୁ ମଧୁବାବୁ ପେନସନ ହିତାଧିକାରୀ ସର୍ବନିମ୍ନ ହଜାରେ ଟଙ୍କା ଭତ୍ତା ପାଇବେ।

ନୂଆ-ଓ ସ୍କଲାରସିପ ଯୋଜନାରେ ଛାତ୍ରଛାତ୍ରୀଙ୍କୁ କେତେ ଟଙ୍କା ବୃତ୍ତି ମିଳିବ ବୋଲି ପ୍ରଶ୍ନ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ । ନୂଆ ଓ ଛାତ୍ରବୃତ୍ତି ଯୋଜନାରେ ଛାତ୍ରମାନେ ବାର୍ଷିକ ୯ହଜାର ଟଙ୍କା ଓ ଛାତ୍ରୀମାନେ ୧୦ ହଜାର ଟଙ୍କା ବୃତ୍ତି ପାଇବେ । ଏହି ବୃତ୍ତି ରାଜ୍ୟର ସବୁ ସରକାରୀ କଲେଜର ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ପାଇବେ ବୋଲି ଫାଇଭ-ଟି ଅଧ୍ୟକ୍ଷ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିନବ ଯୋଜନା ଦ୍ବାରା ଛାତ୍ରଛାତ୍ରୀମାନେ ନିଜ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ କରିପାରିବେ ।

ବିଏସକେୱାଇ ଯୋଜନାରେ ମହିଳାମାନେ କେତେ ଟଙ୍କାର ଚିକିତ୍ସା ସୁବିଧା ପାଇପାରୁଛନ୍ତି । ଏହି ପ୍ରଶ୍ନରେ ଉପସ୍ଥିତ ମହିଳାମାନେ ୧୦ ଲକ୍ଷ ଟଙ୍କା ବୋଲି ଉତ୍ତର ଦେଇଥିଲେ । ଫାଇଭ-ଟି ଅଧ୍ୟକ୍ଷ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳାଙ୍କ ବିକାଶ ପାଇଁ ଚିନ୍ତା କରୁଛନ୍ତି । ସବୁ ଯୋଜନାରେ ମହିଳାମାନଙ୍କୁ ପ୍ରାଥମିକତା ଦିଆଯାଉଛି ।

ନିକଟରେ ଆରମ୍ଭ ହୋଇଥିବା ସ୍ବୟମ ଯୋଜନାରେ କେତେ ଟଙ୍କା ପର୍ୟ୍ୟନ୍ତ ଋଣ ଦିଆଯାଉଛି ବୋଲି ଫାଇଭ ଟି ଅଧ୍ୟକ୍ଷ ପଚାରିଥିଲେ । ଏହାର ଉତ୍ତରରେ ମହିଳାମାନେ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଓ ଯୁବକମାନେ ଏକ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ବିନା ସୁଧରେ ଋଣ ପାଇପାରିବେ ବୋଲି ସମବେତ ଜନତା ଉତ୍ତର ଦେଇଥିଲେ । ମିଶନଶକ୍ତି ମହିଳାମାନେ ମଧ୍ୟ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ବିନା ସୁଧରେ ଋଣ ପାଇପାରୁଛନ୍ତି । ରାଜ୍ୟରେ ମହିଳାମାନଙ୍କୁ ସ୍ବାବଲମ୍ବୀ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଯୋଜନା ଆରମ୍ଭ କରିଛନ୍ତି । ମହିଳାମାନଙ୍କ ବିକାଶ ହେଲେ ପରିବାର, ସମାଜ, ରାଜ୍ୟ ଓ ଦେଶର ବିକାଶ ହୋଇପାରିବ ବୋଲି ଫାଇଭ-ଟି ଅଧ୍ୟକ୍ଷ କହିଥିଲେ ।