ଆଜିଠାରୁ ଦୁଇଦିନ ଘନ କୁହୁଡ଼ି

 ଭୁବନେଶ୍ୱର: ଆସନ୍ତା ୯ ତାରିଖରୁ ପୁଣି ପଶ୍ଚିମାଝଡ଼ର ତାଣ୍ଡବ ଦେଖିବାକୁ ମିଳିବ । ଏହାର ପ୍ରଭାବରେ ଆଜିଠାରୁ ଦୁଇଦିନ ପାଇଁ ରାଜ୍ୟରେ ଘନ କୁହୁଡ଼ି ଅନୁଭୂତ ହେବ । ୨୪ ଘଣ୍ଟା ପରେ ରାତିରେ ତାପମାତ୍ରାର ୩ରୁ ୫ ଡିଗ୍ରୀ ବୃଦ୍ଧି ହେବା ସମ୍ଭାବନା ରହିଛି । ୭ରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ ପକ୍ଷରୁ ଦୁଇଦିନ ପାଇଁ ସତର୍କତା ଜାରି କରାଯାଇଛି । ଆଜି ରାତିରୁ ଆସନ୍ତାକାଲି ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଅନୁଗୋଳ ଓ ଢେଙ୍କାନାଳରେ ଘନ କୁହୁଡ଼ି ଦେଖିବାକୁ ମିଳିବ ।

ସେହିପରି ମଙ୍ଗଳବାର ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ କନ୍ଧମାଳରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ।ଏହି ସମୟରେ ରାସ୍ତାରେ ଗାଡ଼ି ଚଳାଚଳରେ ଅସୁବିଧା ଦେଖାଦେଇପାରେ । ତେଣୁ ଦୁର୍ଘଟଣାକୁ ଏଡ଼ାଇବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।