କେତେ ସୁସ୍ଥ ଅଛି ରାଜଧାନୀ ହସ୍ପିଟାଲ?

ରୋଗୀଙ୍କୁ ଉପଯୁକ୍ତ ସେବା ଯୋଗାଇ ନପାରି କଟକ ବଡ଼ ଡାକ୍ତରଖାନାକୁ…

ଭୁବନେଶ୍ୱର: ରୋଗୀଙ୍କୁ ଉପଯୁକ୍ତ ସେବା ଯୋଗାଇ ନପାରି କଟକ ବଡ଼ ଡାକ୍ତରଖାନାକୁ ସୁପାରିଶ କରୁଥିବା ଭୁବନେଶ୍ୱର ରାଜଧାନୀ ହସ୍ପିଟାଲ ଦୂରାବସ୍ଥା କଥା କହିଲେ ସରିବନି । ହସ୍ପିଟାଲର ବାହ୍ୟ ପରିବେଶକୁ ନୂଆବୋହୂ ଭଳି ସଜାଇବାର ଉପକ୍ରମ ଚାଲିଛି, ମାତ୍ର ହସ୍ପିଟାଲ ଭିତରକୁ ଗଲେ, ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ପ୍ରତି ଡାକ୍ତର, ଡାକ୍ତରାଣୀ, ନର୍ସ, କମ୍ପାଉଣ୍ଡର ପ୍ରଭୃତି କର୍ମଚାରୀଙ୍କ କିପରି ଅଣଦେଖା କରାଯାଉଛି, ତା’ର ନମୁନା ଦେଖିବାକୁ ମିଳିବ ।

ହସ୍ପିଟାଲଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବାଳୟ ଯିବା ରାସ୍ତାରେ ବିଜେଡି ମୁଖ୍ୟ ଦପ୍ତର ନିକଟରେ ଠିଆ ହୋଇଛି । ଉକ୍ତ ହସ୍ପିଟାଲର ରୋଗୀସେବା ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ କେତେଥର ଯାଇଥିବେ, ତା’ର ହିସାବ ହାତଗଣତିରେ ଅଛି । ଓଡ଼ିଶାର ସାଢେ଼ ଚାରିକୋଟି ଲୋକଙ୍କ ଆଶା ଭରସାର କେନ୍ଦ୍ର ଭାବେ ହସ୍ପିଟାଲଟି ବେଶ ପରିଚିତ । ମାତ୍ର ଭେଂଟିଲେଟର ଅଭାବରୁ ଜଣେ ନାବାଳକ ଡେଙ୍ଗୁରୋଗୀ ପ୍ରାଣ ହରାଇବା ହସ୍ପିଟାଲର ଅସଲ ଚେହେରାକୁ ପଦାରେ ପକାଇଛି ।