ଧନ୍ୟ ରାଜଧାନୀ ହସ୍ପିଟାଲ, ଧନ୍ୟ ମୁଖ୍ୟମନ୍ତ୍ରୀ

ଆମେ ଭୁବନେଶ୍ୱର ୟୁନିଟ୍‌-୬ରେ ପ୍ରତିଷ୍ଠିତ ରାଜଧାନୀ ହସ୍ପିଟାଲର….

ଭୁବନେଶ୍ୱର: ଆମେ ଭୁବନେଶ୍ୱର ୟୁନିଟ୍‌-୬ରେ ପ୍ରତିଷ୍ଠିତ ରାଜଧାନୀ ହସ୍ପିଟାଲର ରୋଗୀସେବା କଥା ଉଲ୍ଲେଖ କରୁଛୁ । ରୋଗୀକୁ ଗିନିପିଗ୍‌ ଭଳି ବ୍ୟବହାର କରନ୍ତି ଡାକ୍ତର ଓ ସେବିକାଗଣ । କର୍ମଚାରୀଙ୍କ କଥା କହିବା କ’ଣ? ପ୍ରତ୍ୟେକ କର୍ମଚାରୀ ନିଜକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭଳି ଫୁଟାଣି ମାରନ୍ତି । ସାରା ଦେଶକୁ କୋଭିଡ୍‌ ଆକ୍ରାନ୍ତ କରିଥିଲା ବେଳେ ରାଜ୍ୟ ସରକାର ସବୁ ଡାକ୍ତରଖାନାରେ ଆବଶ୍ୟକ ପରିମାଣର ଭେଂଟିଲେଟର, ଅକ୍ସିଜେନ୍‌ ସିଲିଣ୍ଡର ଓ ଜୀବନ ରକ୍ଷାକାରୀ ଔଷଧ ମହଜୁଦ ଅଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବିତରଣ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବାକୁ ଐତିହାସିକ କହି ନିଜେ ନିଜର ଗୁଣଗାନ କରିଥିଲେ । ଏବେସୁଦ୍ଧା କୋଭିଡ୍‌ ବିଦାୟ ନେଇନି । ଦେଶ ଓ ରାଜ୍ୟରେ ଚତୁର୍ଥ ଲହର ବ୍ୟାପୁଥିବାରୁ ସରକାରଙ୍କ ପକ୍ଷରୁ ବୁଷ୍ଟର ଡୋଜ୍‌ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି ।

ଡେଙ୍ଗୁ, ଚିକେନଗୁନିଆ ଭଳି ରୋଗର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସଚେତନତା ମୂଳକ କାର୍ଯ୍ୟକ୍ରମ ଚାଲିଛି । ମାତ୍ର ସବୁ ଉଦ୍ୟମ ସତେ ଯେପରି ଫେଲ୍‌ ମାରିଛି । ବିରୋଧୀ ଦଳଗୁଡ଼ିକ ସିନା ନବୀନବାବୁଙ୍କ ପୋଷାକରେ ଦାଗ ଲଗାଇ ପାରୁନାହାନ୍ତି । କିନ୍ତୁ ଡେଙ୍ଗୁ ଭୂତାଣୁ ବେଶ ଚତୁରତାର ସହ ତା’ର କରିସ୍ମା ଦେଖାଇଦେଇଛି । ଖାଲି ସେତିକି ନୁହେଁ, ସରକାରଙ୍କ ସଚେତନତାକୁ ଉପହାସ କରି ଜଣେ ନାବାଳକଙ୍କ ଜୀବନ ନେଇଯାଇଛି । ସବୁଠାରୁ କୌତୁହଳର ବିଷୟ ହେଉଛି, ଯେଉଁ ବିଦ୍ୟାଳୟର ପରିବେଶ ପ୍ରତି ଆକର୍ଷିତ ହୋଇ ପ୍ରଶାସନିକ ଅଧିକାରୀ ଜଣକ ଡେଙ୍ଗୁ ସଚେତନତାର ବାର୍ତା ପ୍ରସାର କରିବାକୁ ଯାଇଥିଲେ । ପ୍ରାଣ ହରାଇଥିବା ନାବାଳକ ସେହି ବିଦ୍ୟାଳୟର ଛାତ୍ର ଥିଲେ । ଧନ୍ୟ ଆମ ସରକାରୀ ହସ୍ପିଟାଲ, ଧନ୍ୟ ଆମ ସରକାର, ଧନ୍ୟ ଆମ ମୁଖ୍ୟମନ୍ତ୍ରୀ ।