ଏଣିକି ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ବାଧ୍ୟତାମୂଳକ

ଏଣିକି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷାରେ ନାମଫଳକ…

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷାରେ ନାମଫଳକ ଲାଗିବ । ରାଜ୍ୟର ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜ ନିଜର ନାମଫଳକ ଓଡ଼ିଆରେ ଲେଖିବାକୁ ବାଧ୍ୟ । ଏନେଇ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅତିରିକ୍ତ ମୁଖ୍ୟ ଶସାନ ସଚିବ ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଓ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଛନ୍ତି । ତେବେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ସହ ଆସନ୍ତା ତିନି ସପ୍ତାହ ମଧ୍ୟରେ ସରକାରଙ୍କୁ ଜଣାଇବାକୁ କୁହାଯାଇଛି । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ ଓ ସରକାରୀ, ବେସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ମଧ୍ୟ ଏ ବାବଦରେ ଅବଗତ କରାଯାଇଛି । ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷାରେ ନାମଫଳକ ଲେଖିଲେ ଓଡ଼ିଆ ଭାଷାର ଗୌରବ ଓ ସମ୍ମାନ ବୃଦ୍ଧି ହେବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ସହିତ ଅଧିକାରୀଙ୍କ ନାମଫଳକ ଓଡ଼ିଆ ଭାଷାରେ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।