ନୈନା ମୃତ୍ୟୁ ମାମଲା; ତଦନ୍ତ କମିଟି ଦ୍ୱାରା ଯାଞ୍ଚ କରିବାକୁ ହାଇକୋର୍ଟଙ୍କ ଆଦେଶ

କେନ୍ଦୁଝର: କେନ୍ଦୁଝର ସମାଜସେବୀ ରୋଜାଲିନ ସାହୁ (ନୈନା) ମୃତ୍ୟୁ ମାମଲାର ବିଚାର କରି ଏକ ତଦନ୍ତ କମିଟି ଦ୍ୱାରା ଯାଞ୍ଚ କରିବାକୁ ଏସ୍‌ପିଙ୍କୁ ହାଇକୋର୍ଟ ଆଦେଶ ଦେଇଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଛାଡ ନକରି ତଦନ୍ତ କରିବା ପାଇଁ ହାଇକୋର୍ଟ ଆଦେଶ କରିଛନ୍ତି । ଘଟଣାର ଅଭିଯୁକ୍ତମାନେ ଅବାଧରେ ବୁଲୁଥିଲେ ହେଁ ଧରା ଯାଉନଥିବା ଏବଂ ଏପରିକି ସାଇବର ସେଲ୍ ପୁଲିସ ଦ୍ୱାରା ଏହାର ଯାଞ୍ଚ କରାଯାଉନଥିବାରୁ ଏହାକୁ ନେଇ ଆବେଦନ କାରୀ ମୃତକ ମା’ ରେବତୀ ସାହୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ଏହି ଘଟଣାକୁ ନେଇ ଘଟଗାଁ ଥାନା ପୁଲିସ ମଧ୍ୟ ଏକ ହତ୍ୟା ମାମଲା ରୁଜୁ କରି ଚୁପ୍ ବସିଥିବା ନେଇ ଅଭିଯୋଗ ହୋଇଥିଲା । ଝିଅକୁ ହତ୍ୟା କରାଯାଇଥିବା ତାଙ୍କ ମା’ ରେବତୀ ସାହୁ ଅଭିଯୋଗ କରିବା ପରେ ପୁଲିସ ଦୁର୍ଘଟଣା ଜନିତ ମୃତ୍ୟୁକୁ ହତ୍ୟା ମାମଲାରେ ପରିବର୍ତ୍ତିତ କରିଥିଲେ ହେଁ ଅଭିଯୁକ୍ତ ମାନଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ନେଇ ହାଇକୋର୍ଟରେ ସେ ଅଭିଯୋଗ କରିଥିଲେ । ଏହାର ଶୁଣାଣି କରି ବିଚାରପତି ଡ. ଏସ୍‌କେ ପାଣିଗ୍ରାହୀ ସିଆର୍‌ଏଲ୍ ଏମ୍‌ପି ନଂ-୭୨୧ ଅଫ୍ ୨୦୨୩ରେ ଅଭିଯୋଗକୁ ଗ୍ରହଣ କରି ଏଭଳି ଆଦେଶ କରିଛନ୍ତି । ହାଇକୋର୍ଟଙ୍କ ଏହି ଆଦେଶ ପରେ ପୁଲିସ କି ପଦକ୍ଷେପ ଗ୍ରହଣ କରୁଛି ତାହାକୁ ପରିବାର ଲୋକ ତଥା ନୈନାଙ୍କ ପିତାମାତା ଅପେକ୍ଷା କରିଛନ୍ତି ।କେନ୍ଦୁଝର ଜିଲ୍ଲା ରୁ ଡିମ୍ପଲ ସାଣ୍ଡିଲ ରିପୋର୍ଟ