ଖାଇବାକୁ ନପାଇ ରୋଗ ଶର୍ଯ୍ୟାରେ ନନ୍ଦୀ: ରାସନ ମିଳୁନି ସରକାରୀ ସହାୟତାଦାବି

କେନ୍ଦୁଝର,:ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ଯୋଜନା ଗୁଡ଼ିକର ସଫଳତା ସାଉଁଟି ଥିବାବେଳେ ବାସ୍ତବପକ୍ଷେ ଯୋଜନା ଗୁଡ଼ିକ ଫେଲ ମାରିଛି। ଘଟଣାରୁ ପ୍ରକାଶ ଯେ କେନ୍ଦୁଝର ଜିଲ୍ଲା ସଦର ବ୍ଲକ ପଦ୍ମପୁର ପଞ୍ଚାୟତ ପଦ୍ମପୁର ଗ୍ରାମ ରାଇସମିଲ ନିକଟ କୁଦୁରୁ ସାହିରେ।ଏହି ସାହିରେ ମୁଣ୍ଡା ସମ୍ପ୍ରଦାୟର ଆଦିବାସୀ ଲୋକ ବସବାସ କରିଆସୁଛନ୍ତି।

ବହୁ ଦୁଃଖ ଓ ପରିତାପର ବିଷୟ ଏହି ସାହିରେ ଦୁର୍ବିସହ ଜୀବନ ଯାପନ କରୁଥିବା ଜଣେ ମହିଳା ତାଙ୍କ ନାମ ନନ୍ଦୀ ମୁଣ୍ଡା।ଯେତେବେଳେ ତାଙ୍କ ସାନ ପୁଅ ରଇବୁ ୨ ମାସ ହୋଇଥିଲା ଠିକ ସେହି ସମୟରେ ତାର ସ୍ବାମୀ ଆରପାରିକୁ ଚାଲିଯାଇଥିଲା। ବିଧବା ନନ୍ଦୀ ୨ଟି ଝିଅ ଓ ଗୋଟେ ପୁଅଙ୍କୁ ନେଇ ବହୁ ଦୁଃଖ କଷ୍ଟରେ ପର ଓଳି ତଳେ ମୁଣ୍ଡ ଗୁଞ୍ଜି ବହୁ କଷ୍ଟରେ ଜୀବନକୁ ବଞ୍ଚେଇ ରଖିଥିଲେ।

କିନ୍ତୁ ଦୁର୍ଭାଗ୍ୟର ବିଷୟ ୬ ମାସ ହେଲାଣି ନନ୍ଦୀ ମୁଣ୍ଡା ଖାଇବା ଅଭାବରୁ ଆଉ ଚାଲି ପାରୁ ନାହିଁ ବିଛଣାରେ ପଡ଼ି ରହିଛି। ତାପରେବି ଦଇବ ଏତେ ନିଷ୍ଠୁର କାହିଁକି ଯେ ରେସନ୍ କାର୍ଡରେ ମିଳୁଥିବା ଚାଉଳ ଆଉ ପଞ୍ଚାୟତ ଦେଉ ନାହିଁ।ବେଳେବେଳେ ତାର ସେହି ୧୫ ବର୍ଷ ଝିଅ ସେବତୀ ମୁଣ୍ଡା ପର ଘରେ ମୂଲ ଲାଗି ଦିନେ ଖାଇ ପାଞ୍ଚ ଦିନ ଭୋକ ଉପବାସରେ ରହୁଛନ୍ତି।କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ଡିଣ୍ଡିମ ପିଟୁ ଥିବାବେଳେ ଏଠି କେବଳ ଉଭୟ ସରକାରଙ୍କ ବିଫଳତା ଜଣା ପଡୁଛି।

ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନଥିବାବେଳେ ମାଗଣା ନଡ଼ା ଛପରରେ ଏକ କୁଡ଼ିଆ କରି ଶୀତ କାକରରେ ପଡ଼ି ରହିଛନ୍ତି।ତାପରେ ମଧ୍ୟ ଖାଇବାର ଅଭାବ ଯୋଗୁଁ ଝିଅ ସେବତୀ ମୁଣ୍ଡା ଚର୍ମ ରୋଗରେ ପଡ଼ି ଗୋଡ ଫୁଲି ଯିବା ସହିତ ଚାଲି ପାରୁ ନାହିଁ।ଯଦି ଜିଲ୍ଲା ପ୍ରଶାସନ ତୁରନ୍ତ ସାହାର୍ଯ୍ୟର ହାତ ନ ବଢାନ୍ତି ତେବେ ସେ ବୃଦ୍ଧା ମଧ୍ୟ ଖୁବ କମ ଦିନରେ ମୃତ୍ୟୁବରଣ କରିବା ସହିତ ଛୁଆଙ୍କ ଅବସ୍ଥା ସଙ୍ଗୀନ ହୋଇ ପଡ଼ିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।ଉକ୍ତ ଅଭାବୀ ପରିବାରକୁ ତୁରନ୍ତ ଘର ଖଣ୍ଡିଏ ଓ ରେସନ କାର୍ଡ ଯୋଗାଇଦେବା ସହିତ ଉତ୍ତମ ଚିକିତ୍ସାର ବ୍ୟବସ୍ଥା କରିବାକୁ ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ ସଭାପତି ରଞ୍ଜନ କୁମାର ବେହେରା,ଉପସଭାପତି ଜୟକୃଷ୍ଣ ନାଏକ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।