ନୂଆବର୍ଷ ରେ ନୂଆ ପୁଲିସ ମହାନିର୍ଦେଶକ ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ୱର: ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ ୧୯୯୦ ବ୍ୟାଚ୍‌ର ଆଇପିଏସ୍ ଅଫିସର୍ । ଅରୁଣ ଷଡ଼ଙ୍ଗୀଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ବିଜୁ ପଟ୍ଟନାୟକ ପୋଲିସ ଏକାଡେମିର ନିର୍ଦ୍ଦେଶକ ଅଛନ୍ତି ଅରୁଣ ଷଡ଼ଙ୍ଗୀ । ଡିଜି ସୁନୀଲ ବଂଶଲ ଗତକାଲି ଡିସେମ୍ବର ୩୧ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିଛନ୍ତି।

ସେହିପରି, ଗତ ଡିସେମ୍ବର ୩୧ ତାରିଖରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ୟ୍ୟାଳୟଠାରେ ପୂର୍ବତନ ଡିଜିପି ସୁନୀଲ କୁମାର ବଂସଲଙ୍କ ଠାରୁ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ଷଡଙ୍ଗୀ । ଶ୍ରୀ ଅରୁଣ କୁମାର ଷଡଙ୍ଗୀ ଆଇ.ପି.ଏସ ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଉପସ୍ଥିତ ବରିଷ୍ଠ ଅଧିକାରୀ ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ ଜଣାଇଥିଲେ। ଏହାପରେ ଡିଜିପି ଶ୍ରୀ ଷଡଙ୍ଗୀ ଶହିଦ ସ୍ମୃତି ସ୍ତମ୍ଭ ଠାରେ ମାଲ୍ୟାର୍ପଣ କରିଥିଲେ। ପରେ ସେ ଦାୟିତ୍ଵ ଗ୍ରହଣ କରିଥିଲେ।

ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଡିଜିପି ଶ୍ରୀ ଷଡଙ୍ଗୀ କହିଥିଲେ ଯେ ଓଡିଶା ପୋଲିସର ସ୍ଵତନ୍ତ୍ର ଗରିମା ଏବଂ ଗୌରବ ରହିଛି। ଗତ କିଛି ବର୍ଷ ଧରି ରାଜ୍ୟ ପୋଲିସକୁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛି ବୋଲି କହିଥିଲେ। ପୋଲିସକୁ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତନବୀନ ପଟ୍ଟନାୟକଙ୍କ ସହଯୋଗ ରହିଛି ବୋଲି ସେ କହିବା ସହ ରାଜ୍ୟ ସରକାରଙ୍କ ସହଯୋଗରେ ଆଗାମୀ ଦିନରେ ପୋଲିସ ଅଧିକ ଶକ୍ତିଶାଳୀ ହେବ। ଏହି ଅତିରିକ୍ତ ଦାୟିତ୍ଵର ସମୟ ସୀମା ମଧ୍ୟରେ ସମସ୍ତଙ୍କ ସହଯୋଗରେ ନିଜର ଦାୟିତ୍ଵ ନିର୍ବାହ କରିବେ ବୋଲି ମତବ୍ୟକ୍ତ କରିଥିଲେ। ଅପରାଧ ନିରାକରଣ, ଅପରାଧ ଅନୁସନ୍ଧାନ ଏବଂ ଆଇନ ଶୃଙ୍ଖଳା କ୍ଷେତ୍ରରେ ଯେମିତି କୌଣସି ଉଦାସୀନତା ଦେଖାନଯିବ ସେଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବି ବୋଲି ପ୍ରତିକ୍ରିୟା ରଖିଥିଲେ। ସାଧାରଣ ଲୋକଙ୍କୁ ଗୁଣାତ୍ମକ ପୋଲିସ ସେବା ଯୋଗାଇଦେବା ସହ ସମାଜକୁ ଅପରାଧ ମୁକ୍ତ, ଅପରାଧ ଦମନ, ଏବଂ ସଶକ୍ତ ସମାଜ ଗଠନ ଉପରେ ଗୁରୁତ୍ଵାରୋପ କରିଥିଲେ।

ସୂଚନାଯୋଗ୍ୟ, ପୁଲିସ ଡିଜି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରି ନଥିବାରୁ ରାଜ୍ୟ ସରକାର ଭାରପ୍ରାପ୍ତ ପୁଲିସ ଡିଜି ନିଯୁକ୍ତି କରିବାକୁ ବାଧ୍ୟ ହୋଇଛନ୍ତି । ବରିଷ୍ଠତା ଭିତ୍ତିରେ ୟୁପିଏସସି ଯେଉଁ ତିନି ଜଣଙ୍କ ନାମ ସୁପାରିଶ କରିବା କଥା ତାହା ଏ ଯାଏଁ ଆସିପାରି ନାହିଁ । ରାଜ୍ୟ ସରକାର ପଠାଇଥିବା ତାଲିକାରେ ଅରୁଣ ଷଡ଼ଙ୍ଗୀଙ୍କ ନାଁ ମଧ୍ୟ ରହିଛି ।