ମା’ ନୁହେଁ ମଦବେପାରୀ ମାରିଦେଲା ପୁଅକୁ

ମାଲକାନଗିରି: ମଦ ବେପାର ଆମ ସରକାରଙ୍କୁ ଭାରି ଭଲ ଲାଗୁଛି । ମାତ୍ର ସେହି ମଦ କେତେ ପରିବାରକୁ ଉଜାଡ଼ି ଦେଇଛି; ତା’ର ହିସାବ ନା ପୁଲିସ ନା ପ୍ରଶାସନ ନିକଟରେ ରହିଛି । ସତ ଘଟଣାଟିଏ ଅବିକଳ କାହାଣୀ ପରି ଲାଗୁଛି । ମଦନିଶାରେ ଜଣେ ମା’ ତାଙ୍କ ୮ ବର୍ଷର ପୁଅକୁ ପିଟିପିଟି ମାରି ଦେଇଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ତୁମ୍ଭାଗୁଡ଼ା ଗାଁ । ଶନିବାର ରାତିରେ ବାପାମା’ ନିଶାସକ୍ତ ଭାବେ ଘରକୁ ଫେରିଥିଲେ । ଦିନବେଳା ପୁଅ ଘରେ ନଥିଲା ଜାଣି ମା’ ୱାଗି ରାଗରେ ଲାଲ ପଡ଼ି ଯାଇଥିଲେ । ଆଗପଛ ବିଚାର ନକରି ପୁଅକୁ ପ୍ରବଳ ମାଡ଼ ମାରିଲେ ।

ସ୍ୱାମୀ ଯେତେ ବୁଝାଇଲେ ମଧ୍ୟ ୱାଗି କିଛି ଶୁଣିବାକୁ ନାରାଜ । ମାଡ଼ ମାରି ହାଲିଆ ହୋଇଯିବାରୁ ୱାଗି ଶୋଇପଡ଼ିଲେ । ମାତ୍ର ପ୍ରବଳ ମାଡ଼ ଖାଇ ପୁଅଟି ନିସ୍ତେଜ ହୋଇଯିବା କଥା କାହାକୁ ମାଲୁମ ନଥିଲା । ରବିବାର ସକାଳୁ ପୁଅ ନ ଉଠିବାର ଦେଖି ସ୍ୱାମୀ-ସ୍ତ୍ରୀ ଦୁହେଁ ତାକୁ ଉଠାଇବାକୁ ଚେଷ୍ଟା କରିଥିଲେ । ମାତ୍ର ପୁଅ ସବୁଦିନ ପାଇଁ ଶୋଇ ଯାଇଥିଲା । ପୁଲିସ ଅଭିଯୁକ୍ତ ମା’କୁ ଗିରଫ କରିଛି ।