ନାବାଳିକାଙ୍କ ରହସ୍ୟଜନକ ମୃତ୍ୟୁ

କାମାକ୍ଷାନଗର: ତାଲା ପଡ଼ିଥିବା ଗୋଟିଏ ଘରୁ ଜଣେ ନାବାଳିକାଙ୍କ ମୃତଦେହକୁ ଉଦ୍ଧାର କରିଛି ପୁଲିସ । ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଥାନା ଅନ୍ତର୍ଗତ ଲୋକନାଥପୁର ଗ୍ରାମରେ ଲକ୍ଷ୍ମୀପ୍ରିୟା ଖୁଂଟିଆ ନାମ୍ନୀ ଝିଅଟିକୁ କେହି ମାରି ଦେଇଥିବାର ସନ୍ଦେହ ପ୍ରକାଶ ପାଇଛି ।

ରିପୋର୍ଟ ମୁତାବକ ବୁଧବାର ରାତିରେ ଲକ୍ଷ୍ମୀପ୍ରିୟା ଓ ତା’ ବଡ଼ ଭଉଣୀଙ୍କୁ ଘରେ ଛାଡ଼ି ମା’ ତାଙ୍କର ଜଣେ ସଂପର୍କୀୟଙ୍କ ଘରକୁ ଯାଇଥିଲେ । ସକାଳେ ବଡ଼ ଭଉଣୀ ଲକ୍ଷ୍ମୀପ୍ରିୟାକୁ ନିଦରୁ ଉଠାଇବା ପାଇଁ ଘର କବାଟ ବାଡେ଼ଇଥିଲେ । ଲକ୍ଷ୍ମୀପ୍ରିୟା ଘର କବାଟ ଖୋଲି ନଥିଲେ । ବାରମ୍ବାର କବାଟ ବାଡେ଼ଇ ନିରାଶ ହେବାପରେ ବଡ଼ ଭଉଣୀ ପାଖ ପଡେ଼ାଶୀଙ୍କୁ ଡାକ ପକାଇଥିଲେ ।

ସମସ୍ତେ ମିଶି କବାଟକୁ ଖୋଲିବା ପରେ ଲକ୍ଷ୍ମୀପ୍ରିୟାର ନିସ୍ତେଜ ଶରୀର ଦେଖିଥିଲେ । ତାଙ୍କ ଆଖି, ନାକ ଓ କାନରୁ ରକ୍ତ ଝରୁଥିବାର ଦେଖିବାକୁ ମିଳିଥିଲା । ଖବର ପାଇ ଲକ୍ଷ୍ମୀପ୍ରିିୟାର ମା’ ଘରକୁ ଫେରିଥିଲେ । ଝିଅକୁ କେହି ହତ୍ୟା କରିଥିବା ବିଷୟ ସେ ଅଭିଯୋଗ କରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।