ସରକାରୀ ଗୁଳିରେ ନବଦାସଙ୍କୁ ମାରିବା ନବୀନବାବୁଙ୍କ ବାହାଦୁରି

ବ୍ୟବସାୟିକ ଶତ୍ରୁତା କି ଅନ୍ୟ କୌଣସି କାରଣରୁ …

ଭୁବନେଶ୍ୱର: ବ୍ୟବସାୟିକ ଶତ୍ରୁତା କି ଅନ୍ୟ କୌଣସି କାରଣରୁ ହେଉ; ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କୁ ଜଣେ ପୁଲିସ କର୍ମଚାରୀ ଦିବାଲୋକରେ ଗୁଳି କରିବା ଯେତିକି ସତ; ନବଦାସଙ୍କ ଛାତିକୁ ଫୁଟାଇ ବାହାରି ଯାଇଥିବା ଗୁଳିଟି ସରକାରୀ ବୋଲାଇବା ସେତିକି ସତ । ସରକାରଙ୍କ ରିଭଲଭରରୁ ସରକାରୀ ଗୁଳିଟି ଯାଇ ମନ୍ତ୍ରୀ ନବଦାସଙ୍କୁ ମାରିଲା; ତଥାପି ରାଜ୍ୟର ଆଇନଶୃଙ୍ଖଳା ନିୟନ୍ତ୍ରଣ ଭିତରେ ଅଛି ବୋଲି ନବୀନ ସରକାର ପ୍ରଚାର କରୁଛନ୍ତି ।

ଡାହା ମିଛ କଥା କହି ନବୀନବାବୁ ଲୋକଙ୍କୁ ଭୂଅାଁ ବୁଲାଇ ଦେଇପାରିବେ କିନ୍ତୁ ବିଧାନସଭାରେ ସତ ଓଗାଳିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଗତ ୫ ବର୍ଷ ଭିତରେ ରାଜ୍ୟରେ ଅପରାଧ ହାର ୬୫.୪୨% ବୃଦ୍ଧି ପାଇଛି । ୨୦୨୨ରେ ରାଜ୍ୟରେ ମୋଟ ୧ ଲକ୍ଷ ୭୮ ହଜାର ୧୯୦ଟି ମାମଲା ରୁଜୁ ହୋଇଛି । ୨୦୧୮ ତୁଳନାରେ ୨୦୨୨ରେ ଅପରାଧ ହାର ୬୫.୪୨ ବୃଦ୍ଧି ପାଇଛି । ବିଭିନ୍ନ ସମୟରେ ବିଭିନ୍ନ ସଂଗଠନ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥାକୁ ପ୍ରତିବାଦ କରିଛନ୍ତି ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣା ନିଷ୍ପତିରେ ଅଟଳ ରହିଛନ୍ତି । ରାଜ୍ୟରେ ଚୋରି ଓ ଡକାୟତି ମାମଲା ବୃଦ୍ଧି ପାଇଛି ।

ବିଧାନସଭାକୁ ଦିଆଯାଇଥିବା ତଥ୍ୟ ମୁତାବକ ୨୦୧୮ରେ ରାଜ୍ୟର ବିଭିନ୍ନ ଥାନାଗୁଡ଼ିକରେ ମୋଟ ୧ ଲକ୍ଷ ୭ ହଜାର ୪୦୮ଟି ମାମଲା ରୁଜୁ ହୋଇଥିଲା ବେଳେ ୨୦୧୯ରେ ୧ ଲକ୍ଷ ୨୧ ହଜାର ୫୨୫, ୨୦୨୦ରେ ୧ ଲକ୍ଷ ୩୪ ହଜାର ୨୩୦, ୨୦୨୧ରେ ୧ ଲକ୍ଷ ୫୫ ହଜାର ୪୨୦ ମାମଲା ପଞ୍ଜୀକୃତ ହୋଇଛି ।

୨୦୨୨ ମସିହାରେ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ୩୧୮୪ ବଳାକ୍ରାର ମାମଲା ଅଣାଯାଇଛି । ୨୦୨୧ରେ ୩୩୨୭ ବଳାକ୍ରାର ମାମଲା ସରକାରଙ୍କ ଦୃଷ୍ଟିକୁ ଅଣାଯାଇଥିଲା । ୨୦୨୨ରେ ୧୩୭୯ଟି ହତ୍ୟା, ୬୨୭ଟି ଡକାୟତି, ୨୯୯୮ ଛିନତାଇ ଓ ୧୪୮୯୩ ଚୋରି ମାମଲା ପଞ୍ଜୀକୃତ ହୋଇଛି । ୨୦୨୨ରେ ୧୧୬୬୩ ଗାଡ଼ି ଦୁର୍ଘଟଣା, ୫୩୫୨ ସିନ୍ଧିଚୋରି ଓ ୧ ଲକ୍ଷ ୩୦ ହଜାର ୩୮୦ ଅନ୍ୟାନ୍ୟ ମାମଲା ରୁଜୁ କରାଯାଇଛି ।