ନୂଆବଜାର ରାସ୍ତା ନବୀକରଣ ଲାଗି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ

ବାଲେଶ୍ୱର, (ଏସ୍‌ ନ୍ୟୁଜ): ଜଳେଶ୍ୱର ନୂଆବଜାରଠାରୁ ଅଲାଲପୁର ଯାଏ ଯାଇଥିବା ରାସ୍ତାକୁ ନବିକରଣ କରିବାଲାଗି ୫ କୋଟି ଓଙ୍କାର ଏକ ପ୍ରକଳ୍ପ ପ୍ରାୟ ୪ବର୍ଷ ଧରି ପଡି ରହିଛି । ରାସ୍ତା ନିର୍ମାଣ ଓ ଜଳନିଷ୍କାସନ ଲାଗି ଏହି ପ୍ରକଳ୍ପର ବ୍ୟବସ୍ଥା ଥିବା ବେଳେ ତାହା ହୋଇପାରୁନଥିବାରୁ ଜନଅସନ୍ତୋଷ ଦେଖା ଦେଇଛି । ପୁତ୍ତବିଭାଗର ଉଦାସୀନତା ଯୋଗୁଁ ଏହି କାର୍ଯ୍ୟ ହୋଇ ପାରୁନଥିବାରୁ କମଳ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ନୂଆବଜାର ଠାରେ ଥିବା ସରକାରୀ ବିଦ୍ୟାଳୟର ଅନତୀ ଦୂରରେ ଡ୍ରେନ୍‌ର ମଇଳା ପାଣି ରାସ୍ତାଉପରେ ଜମା ହୋଇଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ବୃଦ୍ଧି ପାଉଛି । ସୂଚନାଯୋଗ୍ୟ ପୂର୍ବରୁ କେତେକ ବ୍ୟକ୍ତି ଅସନ୍ତୋଷ ପ୍ରକାଶ କରି ରାସ୍ତାଉପରେ ଧାନ ରୋଇଥିଲେ । ପ୍ରକାଶଯୋଗ୍ୟ ଏହି ରାସ୍ତାଟି ଜଳେଶ୍ୱର ତହସିଲ, ମ୍ୟୁନିସିପାଲଟି, ଆର୍‌ଆଇ ଅଫିସ୍‌, ଏଫସିଆଇ ଗୋଦାମ୍‌, ଜଗନ୍ନାଥ ମନ୍ଦିର, ତାରିଣି ମନ୍ଦିର, ହାଇସ୍କୁଲ ଏବଂ ୬୦ନଂ ଜାତୀୟ ରାଜପଥକୁ ଯାତାୟତ ଲାଗି ସଂଯୋଗ ହୋଇଛି । ଠିକାଦାର ୪ବର୍ଷ ଧରି କାମ ମନ୍ଥର ଗତିରେ କରୁଥିବାରୁ କାର୍ଯ୍ୟ ୫୦ପ୍ରତିଶତ ଶେଷ ହୋଇନଥିବା ଅଭିଯୋଗ ହୋଇଛି ।