‘ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳି କର, ସେ ତିର୍ତ୍ତୋଲ ଲୋକ’

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆସନ୍ତା ନଭେମ୍ବର ୩ ତାରିଖରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଜିଲ୍ଲାପାଳଙ୍କ ବଦଳି ଦାବି କରିଛି ପ୍ରଦେଶ କଂଗ୍ରେସ। ଏନେଇ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ନେତୃତ୍ୱରେ ଦଳୀୟ ଟିମ୍ ଯାଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି।

ଏହି ଦାବିପତ୍ରରେ କଂଗ୍ରେସ ଦର୍ଶାଇଛି ଯେ ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ହେଉଛନ୍ତି ତିର୍ତ୍ତୋଲ ଲୋକ। ତାଙ୍କ ଘର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶଙ୍ଖେଶ୍ୱର ପଞ୍ଚାୟତରେ। ଏପରିକି ତାଙ୍କ ପିତା ଶରତ ଚନ୍ଦ୍ର ମହାପାତ୍ର ପୂର୍ବରୁ ଜନତା ଦଳରେ ଥାଇ ସରପଞ୍ଚ ହୋଇଥିଲେ ବୋଲି କଂଗ୍ରେସ କହିଛି। ଏଣୁ ବର୍ତ୍ତମାନର ଜିଲ୍ଲାପାଳଙ୍କ ଉପସ୍ଥିତି ନିର୍ବାଚନକୁ ସ୍ୱଚ୍ଛ ଏବଂ ଅବାଧ କରିବାରେ ବାଧା ସୃଷ୍ଟି କରିବ ବୋଲି ଦଳ ଅଭିଯୋଗ କରିଛି।

ମୁଖ୍ୟ ନିର୍ବାଚନ ଅଧିକାରୀ ଏ ଦିଗରେ ବିଚାର କରିବା ନେଇ ପ୍ରତିଶ୍ରୁତି ଦେଇଥିବା କଂଗ୍ରେସ କହିଛି। ସୂଚନାଯୋଗ୍ୟ, ଅକ୍ଟୋବର ୯ ତାରିଖ(ଶୁକ୍ରବାର) ଦିନ ଉଭୟ ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଗେଜେଟ୍ ନୋଟ୍ଫିକେସନ ଜାରି କରିବେ ନିର୍ବାଚନ କମିଶନ। ଅକ୍ଟୋବର ୧୬ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ୧୭ ତାରିଖରେ ସମସ୍ତ ନାମାଙ୍କନ ଫର୍ମ ଯାଞ୍ଚ ହେବାକୁ ଥିବାବେଳେ ୧୯ ତାରିଖକୁ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ନଭେମ୍ବର ୩ ତାରିଖରେ ଭୋଟଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ୧୦ ତାରିଖରେ ଗଣତି ହେବାକୁ ଅଛି।