ବନ୍ୟାରେ ୧୧ଶହ କୋଟିର କ୍ଷତି ହୋଇଛି

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟକୁ ବନ୍ୟା କ୍ଷୟକ୍ଷତି ଆକଳନ ଲାଗି ଆସିଥିବା କେନ୍ଦ୍ରୀୟ କମିଟି ଆଗରେ ଚିଠା ରଖିଛନ୍ତି ଓଡ଼ିଶା ସରକାର। ରାଜ୍ୟରେ ନିକଟରେ ହୋଇଥିବା ବନ୍ୟା ଯୋଗୁଁ ୧୧ଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ମୁଖ୍ୟ ଶାସନ ସଚିବ କମିଟିକୁ ଜଣାଇଛନ୍ତି।

ବିଭିନ୍ନ ଜିଲ୍ଲାର ୨.୨୫ ଲକ୍ଷ ହେକ୍ଟର ଚାଷ ଜମିରେ ୩୩ ପ୍ରତିଶତ ଲେଖାଁଏ ଫସଲ କ୍ଷତି ହୋଇଥିବା ସରକାର ରିପୋର୍ଟରେ ଦର୍ଶାଇଛନ୍ତି। ୧ ଲକ୍ଷ ୨୦ ହଜାର ଘର ବନ୍ୟାରେ ଧୋଇ ଯାଇଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି। ନଦୀବନ୍ଧ, ରାସ୍ତାଘାଟ ଏବଂ ନଷ୍ଟ ହୋଇଥିବା ଅନ୍ୟାନ୍ୟ ଭିତ୍ତିଭୂମିର ଆକଳନ କରି ପ୍ରାଥମିକ ପର୍ଯ୍ୟାୟରେ ୧୧ଶହ କୋଟିର କ୍ଷତି ଦର୍ଶାଯାଇଛି। ତୁରନ୍ତ ସହାୟତା ଯୋଗାଇ ଦେବାକୁ କେନ୍ଦ୍ରୀୟ କମିଟି ଆଗରେ ଦାବି ରଖିଛନ୍ତି ମୁଖ୍ୟ ସଚିବ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ୱରେ ଏହି ୬ ଜଣିଆ କେନ୍ଦ୍ରୀୟ ଟିମ୍ ବନ୍ୟା କ୍ଷୟକ୍ଷତି ଆକଳନ ଲାଗି ଓଡ଼ିଶା ଆସିଛନ୍ତି। ସେମାନେ ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର ପ୍ରଭୃତି ଜିଲ୍ଲା ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। ଆଜି ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଏପିସି ଓ ଅନ୍ୟ ସଚିବଙ୍କ ସହ ବୈଠକ ବେଳେ ସରକାରଙ୍କ ବନ୍ୟା ପରିଚାଳନାକୁ କେନ୍ଦ୍ରୀୟ ଟିମ୍ ପ୍ରଶଂସା କରିଛନ୍ତି।