ଭୋଟ ବର୍ଜନ କରି ବୁଥ୍‌ ଆଗରେ ବିକ୍ଷୋଭ

ବୌଦ୍ଧ/ଧର୍ମଗଡ଼ : ଆଜି ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ହେଲେ ମୌଳିକ ସୁବିଧା ମିଳୁ ନ ଥିବା ଅଭିଯୋଗରେ ଗ୍ରାମବାସୀ ବୁଥ୍‌ ଆଗରେ ଧାରଣା ଦେଇଛନ୍ତି । ଏପରି ସ୍ଥିତି କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାର ୨ଟି ସ୍ଥାନରେ ଦେଖାଇଛି। ସେଠାରେ ଆରମ୍ଭ ହୋଇପାରିନି ମତଦାନ ।

ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ଲୋକେ ଭୋଟ ବର୍ଜନ କରିଛନ୍ତି। ଏପରିକି ସବୁ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ପୁଲିଂ ପାର୍ଟିଙ୍କୁ ଛାଡ଼ିବେ ନାହିଁ ବୋଲି ମଧ୍ୟ ଖୁଲମଖୁଲା ଶୁଣାଇଛନ୍ତି।

କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଦୁନ୍ଦେଲମାଲ ପଞ୍ଚାୟତରେ ଆଜି ନିର୍ବାଚନ ଥିବା ବେଳେ ଗତକାଲିଠୁ ପୁଲିଂ ପାର୍ଟି ବୁଥ ଅଭିମୁଖେ ବାହାରିଥିଲେ। ହେଲେ ବାଟରେ ତଳ ଦୁଣ୍ଡା ଓ ଉପରଦୁଣ୍ଡା ଗ୍ରାମବାସୀ ସେମାନଙ୍କୁ ଅଟକାଇଛନ୍ତି। ଏପରିକି ଭୋଟ ବର୍ଜନ ନିଷ୍ପତ୍ତି ନେଇ ଗ୍ରାମବାସୀ ପୁଲିଂ ଅଧିକାରୀଙ୍କୁ ଗାଁରେ ପ୍ରବେଶ କରାଇ ଦେଉ ନାହାନ୍ତି। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଆଜି ସକାଳୁ ପୁଲିଂ ଅଧିକାରୀମାନେ ବୁଥ୍‌କୁ ଯିବାକୁ ଚେଷ୍ଟା କରିଥିଲେ । ହେଲେ ଗ୍ରାମବାସୀଙ୍କ ପ୍ରଵଳ ବିରୋଧ ଯୋଗୁଁ ଗାଁରେ ପ୍ରବେଶ କରିପାରି ନାହାନ୍ତି। ଆଜି ପର୍ଯ୍ୟନ୍ତ କୈଣସି କାର୍ଯ୍ୟ ହୋଇ ପାରୁନଥବାରୁ ଗ୍ରାମବାସୀ ଅସନ୍ତୁଷ୍ଟ ହେବା ସହ ଭୋଟ ବର୍ଜନ କରିଛନ୍ତି ।

ଏପରିକି  ପିଢ଼ି ପିଢ଼ି ହେଲାଣି ଆମେ ଏଠାରେ ରହିଛି। ହେଲେ କିଛି ବି ଆମର ପରିବର୍ତ୍ତନ ହୋଇନି। ଆମେ କିମ୍ବା ଆମ ପିଲା ଛୁଆ କୌଣସି ଉନ୍ନତି କରିପାରୁ ନାହିଁ। ସରକାର ପଶୁପକ୍ଷୀଙ୍କ ପାଇଁ ଯେପରି ଯତ୍ନ ନେଉଛନ୍ତି,  ସୁବିଧା କରୁଛନ୍ତି, ହେଲେ ଆମ ପାଇଁ କିଛି ସୁବିଧା ନାହିଁ  ବୋଲି କହିଛନ୍ତି ଗ୍ରାମବାସୀ । ସେହିପରି ବୌଦ୍ଧ ଜିଲ୍ଲା ଭାଲିଆପଦରଠାରେ ସ୍କୁଲ ଦାବିରେ ଭୋଟ ବର୍ଜନ ସହ ବୁଥ୍ ଆଗରେ ଧାରଣାରେ ବସିଛନ୍ତି ଭୋଟର। ଭାଲିଆପଦର ୧୨ ନମ୍ବର ବୁଥ୍ ଆଗରେ  ଧାରଣାରେ ବସିଛନ୍ତି ଗ୍ରାମବାସୀ। ସ୍କୁଲ୍ ଦାବିରେ ଗ୍ରାମର ୩୭୨ ଭୋଟର ଭୋଟ ବର୍ଜନ କରିଛନ୍ତି।