ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ: ଶହେ ଯଜ୍ଞର ପୂଣ୍ୟ

ପୁରୀ: ବଡ଼ଦାଣ୍ଡରେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ଗଡୁଥିବା ସମୟରେ ମହାବଳିଆର ବଳଭଦ୍ର, ମା’ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ମହାଭାଗ୍ୟର ବିଷୟ । ରଥ ଉପରେ ଠାକୁରଙ୍କୁ ଦର୍ଶନ କଲେ ଯେତିକି ପୂଣ୍ୟ ମିଳେ, ତାହା ଶହେଟି ଯଜ୍ଞର ପୂଣ୍ୟ ସହ ସମାନ।

ପୁରୀ ଶ୍ରୀମନ୍ଦିର ସପ୍ତମ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା । ମନ୍ଦିରଟି ଜରାଜୀର୍ଣ୍ଣ ହୋଇଯିବାରୁ ୧୧୭୪ ମସିହାରେ ରାଜା ଅନଙ୍ଗ ଭୀମଦେବ ତା’ର ନବୀକରଣ କରିଥିଲେ । ମନ୍ଦିର ଚାରିପଟକୁ ଘେରି ରହିଛି ୨୦ ଫୁଟ ଉଚ୍ଚର ମେଘନାଦ ପାଚେରୀ । ମନ୍ଦିରର ଚାରିଟି ଦ୍ୱାର ଭିତରୁ ପୂର୍ବଭାଗରେ ରହିଛି ସିଂହଦ୍ୱାର । ଅନ୍ୟ ତିନୋଟି ଯଥାକ୍ରମେ ବ୍ୟାଘ୍ର ଦ୍ୱାର, ଅଶ୍ୱ ଦ୍ୱାର, ହସ୍ତୀ ଦ୍ୱାର । ସ୍କନ୍ଦ ପୁରାଣ ଅନୁସାରେ ସତ୍ୟଯୁଗରେ ରାଜା ଇନ୍ଦ୍ରଦ୍ୟୁମ୍ନ ପୁରୀରେ ପ୍ରଥମେ ମନ୍ଦିର ତୋଳାଇ ଥିଲେ।

ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି । ଆରମ୍ଭ ହୋଇଛି ପୁରୀରେ ଭଗବାନ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ସୋମବାର ରାତି ୧୦ଟା ୦୪ ମିନିଟରୁ ଜଗନ୍ନାଥଜୀ, ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କର ନାନା ନୀତି ଆରମ୍ଭ ହୋଇଛି । ମଙ୍ଗଳବାର ରାତି ୭ଟା ୯ ମିନିଟରେ ମାଉସୀଙ୍କ ଘର ଅର୍ଥାତ୍‌ ଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ବସିବେ । ତିନିଠାକୁର ସେଠାରେ ୯ ଦିନ ଅବସ୍ଥାନ କରିବେ । ତା’ପରେ ଶ୍ରୀମନ୍ଦିରକୁ ଫେରିଯିବେ।

ତିନି ଠାକୁରଙ୍କ ପାଇଁ ଗଢ଼ା ଯାଇଛି ତିନୋଟି ଦିବ୍ୟ ରଥ । ରଥ ନିର୍ମାଣ ପାଇଁ ୮୮୪ ଗଛର କାଠ ବ୍ୟବହାର କରାଯାଇଛି । ବିଧି ଅନୁସାରେ ରଥ ଅନୁକୂଳ ସମୟରେ ପ୍ରଥମେ ସୁନାର କୁରାଢ଼ି ବ୍ୟବହାର କରାଯାଏ । ପରମ୍ପରା ଅନୁଯାୟୀ ରଥ ନିର୍ମାଣରେ ଯୋଗଦାନ କରିଥିବା ଶିଳ୍ପୀମାନେ ଦିନକୁ ମାତ୍ର ଥରୁଟିଏ ଶାକାହାରୀ ଭୋଜନ କରିଥାନ୍ତି ।