ବନ୍ଦ ହେଲା କି ଶ୍ରୀମନ୍ଦିରରେ ଭକ୍ତଙ୍କ ଠେଲାପେଲା

ପୁରୀ: ନୂଆବର୍ଷ ୨୦୨୪ ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ନୂଆ ବ୍ୟବସ୍ଥା ଲାଗୁ ହୋଇଛି ପଢ଼ିଲା ପରେ ଜଣେ ୮୦ ବର୍ଷୀୟ ଶ୍ରଦ୍ଧାଳୁ ପ୍ରଶ୍ନ କରିଛନ୍ତି, ଶ୍ରୀମନ୍ଦିରରେ ବନ୍ଦ ହୋଇଛି କି ଠେଲାପେଲା?

ପୁରୁଖା ଭକ୍ତଜଣକ କୁଆଡେ ଗତବର୍ଷ ଶ୍ରୀମନ୍ଦିରକୁ ଯାଇ ଧାଡ଼ିରେ ଠିଆ ହୋଇଥିଲେ, ଦୁଇ କଚଡ଼ା ଖାଇ ଘରକୁ ଫେରିଥିଲେ । ବଡ଼ଠାକୁରଙ୍କ ପାଖକୁ ଯିବ ଯଦି ମନ୍ଦିର ବେଢ଼ାରେ ଦୁଇଗଡ଼ା ନଗଡ଼ିଲ, ସେଟା କି ଠାକୁର ଦେଖା? ଏ କଥା ଆମର ନୁହେଁ, ଶ୍ରୀମନ୍ଦିର ସେବାୟତଙ୍କ କଟାକ୍ଷ ।

ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ ତିଆରି କରାଯାଇଛି ଶୀତତାପ ନିୟନ୍ତ୍ରିତ ଶେଡ୍‌ । ମରିଚିକୋଟ ଛକରୁ ଭକ୍ତମାନେ ଉକ୍ତ ଶେଡ ଭିତର ଦେଇ ଶ୍ରୀମନ୍ଦିର ଅଭ୍ୟର୍ଥନା କେନ୍ଦ୍ରରେ ପହଂଚିବେ । ସେଠାରୁ ସାନଛତା ମଠ, ବଡ଼ ଆଖଡ଼ା ମଠ ସାମ୍ନା ପରିକ୍ରମା ମାର୍ଗରେ ଚାଲି ଚାଲି ସିଂହଦ୍ୱାର ବାଟ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ । ତିନିଠାକୁରଙ୍କ ଦର୍ଶନ ଓ ବେଢ଼ା ବୁଲା ପରେ ଉତର କବାଟ ଦେଇ ଦୋଳବେଦୀ କୋଣ ପଛ ରାସ୍ତା ଦେଇ ଶ୍ରୀକୃଷ୍ଣ ସିନେମା ଗଳିରାସ୍ତାରେ ବଡ଼ଦାଣ୍ଡକୁ ବାହାରିବେ ।