ମହାପ୍ରଭୁଙ୍କ ରାକ୍ଷୀ ଓ ପାଟରା ସେବାୟତଙ୍କ ବିଶେଷ ମହତ୍ତ୍ୱ

 

ପୁରୀ : ଗୁରୁବାର, ୩୧ ତାରିଖ ଅର୍ଥାତ ଆସନ୍ତା କାଲି ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କ ର ଅନୁଷ୍ଠିତ ହେବ ରକ୍ଷା ବନ୍ଧନ ଉତ୍ସବ। ଶ୍ରୀମନ୍ଦିରରେ ମଧ୍ୟ ଏହି ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଚି। ଏହି ଦିନ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧିବେ ଦୁଇଭାଇ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ। ଏଥିପାଇଁ ରାକ୍ଷୀ ପ୍ରସ୍ତୁତିରେ ଲାଗିଛନ୍ତି ପାଟରା ବିଷୋୟୀ ସେବାୟତ ମାନେ। ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯାଇଥିବା ରଙ୍ଗବେରଙ୍ଗ ବାସୁଙ୍ଗା ପାଟରେ ପ୍ରସ୍ତୁତ କରାଯାଉଛି ଏହି ରାକ୍ଷୀ।

ମହାପ୍ରଭୁଙ୍କ ପାଇଁ ରଙ୍ଗ ବେରଂଗର ରାକ୍ଷୀ
ବଳଭଦ୍ରଙ୍କ ପାଇଁ ବାଇଗଣୀ-ନୀଳ ଓ ଜଗନ୍ନାଥଙ୍କ ପାଇଁ ହଳଦିଆ-ନାଲି ୨ ଟି ଲେଖାଏଁ ରାକ୍ଷୀ ପ୍ରସ୍ତୁତ କରାଯାଇଛି। ପାଟରା ବିଷୋୟୀ ସେବକ ବେଶ ନିଷ୍ଠାର ସହ ଏହି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ।

ମହାପ୍ରଭୁଙ୍କ ରକ୍ଷାବନ୍ଧନ ଅବସରରେ ପରମ୍ପରା
ତେବେ ଏହି ରାକ୍ଷୀ ସହିତ ଚାରିଗୋଟି ଗୁଆମାଳ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ୫୪ ଟି ଗୁଆରେ ପ୍ରସ୍ତୁତ ଏହି ଗୁଆମାଳ ମଧ୍ୟ ରକ୍ଷାବନ୍ଧନ ଅବସରରେ ଲାଗି କରାଯିବାର ପରମ୍ପରା ରହିଛି। ଏହାଛଡ଼ା ପାର୍ଶ୍ୱ ଦେବାଦେବୀଙ୍କ ପାଇଁ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରିଥାନ୍ତି ପାଟରା ବିଷୋୟୀ ସେବାୟତ ମାନେ। ପୁର୍ଣ୍ଣିମା ଦିନ ପ୍ରସ୍ତୁତ ଏହି ରାକ୍ଷୀ ଶ୍ରୀମନ୍ଦିର ଗାରଦରେ ଦିଆଯିବା ପରେ ସିଂହାରୀ ସେବାୟତ ମାନେ ଏହାକୁ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗ ରେ ଲାଗି କରିଥାନ୍ତି।

ଶ୍ରୀମନ୍ଦିରରେ ବାର ମାସ ରେ ତେର ପର୍ବ ଭିତରେ ବର୍ଷ ରକ୍ଷା ବନ୍ଧନର ବିଶେଷ ମହତ୍ତ୍ୱ ରହିଛି। ଆଉ ଏହି ଉତ୍ସବ ପାଇଁ ମହାପ୍ରଭୁଙ୍କ ରାକ୍ଷୀ ପ୍ରସ୍ତୁତ କରି ବେଶ୍ ଉତ୍ସାହିତ ଅନୁଭବ କରିଥାନ୍ତି ପାଟରା ସେବାୟତ ମାନେ।