ଓଡ଼ିଆଙ୍କୁ ଦୁର୍ଲଭ: ମୁଖ୍ୟମନ୍ତ୍ରୀ ନବୀନଙ୍କର ଧୋତି ପିନ୍ଧା ଅବତାର

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପଥ ଲୋକାର୍ପଣ ହୋଇଯାଇଛି । ଗଜପତି ମହାରାଜା ଦିବ୍ୟସିଂହ ଦେବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଉପସ୍ଥିତ ଜନତା ଲୋକାର୍ପଣ ସମାରୋହକୁ ତାରିଫ କରିଛନ୍ତି । ଭକ୍ତ ଓ ଭଗବାନଙ୍କ ନିବିଡ଼ ସଂପର୍କକୁ ପ୍ରତ୍ୟେକ ଲୋକ ଅନୁଭବ କରିପାରିଛନ୍ତି । ତିନିଦିନ ବ୍ୟାପୀ ମହାଯଜ୍ଞର ଅନ୍ତିମ କ୍ଷଣରେ ଆକାଶ ମାର୍ଗରୁ ପତିତ ବର୍ଷା ବିନ୍ଦୁ ପ୍ରତିଟି ମନକୁ ଓଦା କରି ଦେଇଥିଲା ।

ତେବେ ସମାଲୋଚକଙ୍କ ମୁହଁରେ କିଏ ବା ତାଲା ପକାଇପାରିବ? ଲୋକାର୍ପଣ ସମାରୋହରେ ଉପସ୍ଥିତ ସମାଲୋଚକମାନେ କହୁଥିଲେ, ବିଜୁ ପଟ୍ଟନାୟକ କ’ଣ ସତରେ ଆମ ମୁଖ୍ୟମନ୍ତ୍ରୀଙ୍କର ବାପା? ବିଜୁ ପଟ୍ଟନାୟକ ନିଜେ ଧୋତି ପିନ୍ଧୁଥିଲେ, ଅଥଚ ନବୀନ ପଟ୍ଟନାୟକଙ୍କୁ ଧୋତି ପିନ୍ଧା ଶିଖାଇ ପାରିଲେନି । ଖାଂଟି ଓଡ଼ିଆ ଦାବି କରୁଥିବା ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଶୁଦ୍ଧ ଓଡ଼ିଆ ଭାଷଣ ଓ ଧୋତି ପିନ୍ଧା ଚେହେରା ସତରେ ଭାରି ଦୁର୍ଲଭ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ନିମନ୍ତେ ଡ୍ରେସ୍‌ କୋଡ୍‌ ଲାଗୁ କରାଯାଇଛି । ମହିଳାଙ୍କୁ ଶାଢ଼ୀ ଓ ପୁରୁଷଙ୍କୁ ଧୋତି ପିନ୍ଧିବାକୁ ତାଗିଦ କରାଯାଇଛି । ପୁରୁଷଙ୍କୁ ଧୋତି ପିନ୍ଧାଇବା ପାଇଁ କିଛି ସେବାୟତଙ୍କୁ ଖଞ୍ଜା ଯାଇଛି ।

ମହାଯଜ୍ଞରେ ଗଜପତି ମହାରାଜା ଧୋତି ପିନ୍ଧିଥିଲେ ଓ ଉତରୀୟ କାନ୍ଧରେ ପକାଇଥିଲେ । ମାତ୍ର ନବୀନ ପଟ୍ଟନାୟକଙ୍କୁ ଧୋତି ପିନ୍ଧା ଅବସ୍ଥାରେ ଦେଖିବାକୁ ମିଳିଲାନି । ଚିରାଚରିତ ପୋଷାକ ପିନ୍ଧି ମୁଖ୍ୟମନ୍ତ୍ରୀ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ ।

ସାଧାରଣ ଭକ୍ତଙ୍କ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରୁଥିବା ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ମଉଳି ଯାଇଥିଲା । ଯାହାଙ୍କ ନିର୍ଦ୍ଦେଶ ମାନି ବଡ଼ଠାକୁର ଚଳୁଛନ୍ତି; ତାଙ୍କୁ ଧୋତି ପିନ୍ଧିବାକୁ କିଏ ବାଧ୍ୟ କରିବ