ସାବାସ୍ ନବୀନ: ଚାରିଦିନରେ କାମ ଫତେ

ନଭେମ୍ବର ୨୧ ତାରିଖରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ଚାଲିବାର ଥିଲା । କିନ୍ତୁ କିଛି ଆଲୋଚନା କରିବାର ନାହିଁ କହି ସରକାର ତାକୁ ଚାରିଟି ଦିନରେ ସାରି ଦେଇଛନ୍ତି । ଏଇ ହେଉଛି ଆମ ଦୁର୍ବଳ ବିରୋଧୀଙ୍କ କରାମତି ।

ଗଣତନ୍ତ୍ର ଶାସନରେ ବିରୋଧୀ ଦଳ ଓ ଶାସକ ଦଳ ଭିତରେ ୧୯-୨୦ ତଫାତ୍‌ ଥିଲେ ମାତ୍ର ଚାରିଟି ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିବେଶନ ମୁଲତବୀ ରଖିବାକୁ ସାହସ କରି ନଥାନ୍ତେ ।

ଆପଣମାନଙ୍କୁ ଜଣାଇ ଦେଉଛୁ, ଚଳିତ ବର୍ଷ ୬୦ ଦିନ ଅଧିବେଶନ ଚାଲିବାର ଥିଲା । ମାତ୍ର ୩୪ ଦିନ ଅଧିବେଶନ ଚାଲିଛି । ବଜେଟ୍‌ ଅଧିବେଶନ ଫେବୃଆରୀ ୨୧ ତାରିଖରୁ ଏପ୍ରିଲ ୬ ତାରିଖ ଯାଏ ମାନେ ୨୭ ଦିନ ଚାଲିବାର ଥିଲା । ତାକୁ ୨୩ ଦିନରେ ସାରି ଦିଆଗଲା । ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୨ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ମାନେ ୮ ଦିନ ଚାଲିବାର ଥିଲା । ତାକୁ ୭ ଦିନରେ ସାରି ଦିଆଗଲା । ଏବେ ଶୀତ ଅଧିବେଶନ ୩୦ ଦିନ ଚାଲିବ ବୋଲି ବିଜ୍ଞପ୍ତି ଜାରି କରି ତାକୁ ୪ ଦିନରେ ଶେଷ କରାଯାଇଛି ।

ସାଢେ଼ ଚାରିକୋଟି ଲୋକଙ୍କୁ ଦାରୁଭୂତ ମୁରାରି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣା ରାଜ ଚଲାଇଛନ୍ତି । ଏ ଦଶା ପାଇଁ କାହାକୁ ଦାୟୀ କରିବା?

ଆଉ କାହାକୁ କାହିଁକି ଦାୟୀ କରିବା । ଆପଣା କପାଳରେ ହାତ ପିଟିବା । ଗୋଟିଏ ଦଳକୁ ଥରକୁ ଥର କରି ୫ ଥର ବସାଇବାର ଯନ୍ତ୍ରଣା ଆମେ ଭୋଗିବାନି ତ କିଏ ଭୋଗିବ। ମାଗଣା ଚାଉଳ, କମ୍ବଳ, ଛତା, ଜୋତା, ପଇତା, କାଳିଆ ଟଙ୍କା, ଘର ମରାମତି ଖର୍ଚ୍ଚ ପାଇବା ଲୋଭରେ ଗୋଟିଏ ଗୋଟିଏ ଭୋଟ ବଳି ପକାଇବାର ପରିଣାମ ଭୋଗିବାକୁ ପଡୁଛି ।