ଏଣିକି ସରକାରଙ୍କ ଅଧୀନରେ ରହିବ ଅନ୍ ଲାଇନ୍ ଓ୍ୱେବ ପୋର୍ଟାଲ୍ ଓ ଓଟିଟି ପ୍ଲାଟଫର୍ମ


ନୂଆଦିଲ୍ଲୀ: ସରକାରଙ୍କ ଅଧୀନକୁ ଆସିଲା ଦେଶର ଅନ୍ ଲାଇନ୍ ଓ୍ୱେବସାଇଟ୍, ଖବର ସରବରାହ ଏଜେନ୍ସି, ଓଭର ଦ ଟପ୍ ପ୍ଲାଟଫର୍ମ (ଓଟିଟି) । ଲୋକସମ୍ପର୍କ ମନ୍ତ୍ରଣାଳୟ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଦୀର୍ଘ ଦିନ ଧରି ସରକାର ଅନଲାଇନ୍ ବିଷୟବସ୍ତୁ ପ୍ରଦାନକାରୀକୁ ବିଷୟରେ ଚିନ୍ତା କରୁଥିଲେ। ତେଣୁ ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ସମୟରେ ମଧ୍ୟ ସରକାର କହିଥିଲେ ଯେ ଟିଭି ଅପେକ୍ଷା ଅନଲାଇନ୍ ମିଡିଆର ନିୟନ୍ତ୍ରଣ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଛି ।ଏହାକୁ ନେଇ କରୋନା ମହାମାରୀ ମଧ୍ୟରେ କେନ୍ଦ୍ର ସରକାର ଏଭଳି ଏକ ବଡ ପଦକ୍ଷେପ ନେଇଛନ୍ତି।

ଦେଶରେ ମୁଦ୍ରିତ ଗଣମାଧ୍ୟମ ପାଇଁ ପ୍ରେସ କମିଶନ, ନ୍ୟୁଜ ଚ୍ୟାନେଲ ପାଇଁ ବ୍ରୋଡକାଷ୍ଟର୍ସ ଆସୋସିଏସନ ଏବଂ ବିଜ୍ଞାପନ ପାଇଁ ବିଜ୍ଞାପନ ଷ୍ଟାଣ୍ଡାର୍ଡ କାଉନସିଲ ଅଫ ଇଣ୍ଡିଆ ଅଛି, ଯାହା ସେମାନଙ୍କ ଉପରେ ନଜର ରଖିଥାଏ। କିନ୍ତୁ ଅନ୍ଲାଇନ୍ ବିଷୟବସ୍ତୁ, ଅନ୍ଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ସରକାର ଏ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରିନଥିଲେ। ଯେଉଁଥିପାଇଁ ବର୍ତ୍ତମାନ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ଏହା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଅନ୍ଲାଇନ୍ ବିଷୟବସ୍ତୁ, ଅନ୍ଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ଏବଂ ଓଟିଟି ପ୍ଲାଟଫର୍ମ ଉପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ନଜର ରହିବ। ଅର୍ଥାତ୍ ଅନ୍ ଲାଇନ ଓ୍ୱେବସାଇଟ୍ ଏବଂ ଓଟିଟି ପ୍ଲାଟଫର୍ମ ପାଖରେ ଖବର ପ୍ରସାରଣ କରିବାର ସ୍ୱାଧୀନତା ରହିବ ହେଲେ ଉତ୍ତରଦାୟୀ ହେବାକୁ ପଡ଼ିବ। କୌଣସି ଖବର ବା ଭିଡିଓକୁ ନେଇ ଆପତ୍ତି ଉଠିଲେ ସରକାର ଜବାବ ତଲବ କରିପାରିବେ।

ସୂଚନା ମୁତାବକ,ହଟଷ୍ଟାର୍, ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଭଳି ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେଉଥିବା ଚଳଚ୍ଚିତ୍ର, ସିରିଜ୍ ଇତ୍ୟାଦିକୁ ନେଇ ବିବାଦ ଦେଖାଦେଇଥିଲା । ଏଥି ସହିତ, ଏହା ମଧ୍ୟ ଦାବି କରାଯାଇଥିଲା, ବିଷୟବସ୍ତୁ ଉପରେ ନଜର ରଖିବା ଏବଂ ରୋକିବା ପାଇଁ ସରକାର କିଛି ପଦକ୍ଷେପ ନେବା ଉଚିତ୍। କିଛି ଦିନ ପୂର୍ବରୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ମଧ୍ୟ କହିଥିଲେ ଯେ, ଯେମିତି ଟିଭି, ମୁଦ୍ରିତ ଗଣମାଧ୍ୟମ ଇତ୍ୟାଦି ପାଇଁ ନିୟମାବଳୀ ରହିଛି, ସେମିତି ଓଟିଟି ପ୍ଲାଟଫର୍ମ ପାଇଁ ମଧ୍ୟ ନିୟମ ରହିବା ଉଚିତ। କାରଣ ଓଟିଟି ପ୍ଲାଟଫର୍ମରେ ନ୍ୟୁଜ୍ ପୋର୍ଟାଲ୍, ହଟଷ୍ଟାର୍, ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଭିଡିଓ ଭଳି ଷ୍ଟ୍ରିମିଂ ସେବା ରହିଛି। ଯାହା ଇଣ୍ଟରନେଟରେ ଉପଲବ୍ଧ।