ଟାଟା: ଗୋଛି କାଟିଥିଲେ ବିଜୁ, ମୁଣ୍ଡାଇଛନ୍ତି ନବୀନ

ମୋଟା ଅଙ୍କର ନିର୍ବାଚନ ଚାନ୍ଦା ସାଉଁଟିବା ଉଦ୍ଦେଶ୍ୟ…

ଭୁବନେଶ୍ୱର: ପ୍ରଥମେ ବିଜୁଳି ବିତରଣ ରାଜିନାମା, ଦ୍ୱିତୀୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରାମର୍ଶଦାତା, ଏବେ ଓପିଜିସିର ୪୯ ଭାଗ ମାଲିକାନା ପ୍ରଦାନ ପାଇଁ ସଜବାଜ । ଘରୋଇ ସଂସ୍ଥା ଟାଟା ଗ୍ରୁପ ପ୍ରତି ରାଜ୍ୟରେ କ୍ଷମତାସୀନ ବିଜେଡିର ମାତ୍ରାଧିକ ଅନୁକମ୍ପା ଏବେ ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି । ସଚିବାଳୟରୁ ଆରମ୍ଭ କରିି ଗାଁ ଦାଣ୍ଡ ପର୍ଯ୍ୟନ୍ତ ସବୁଜାଗାରେ ଗୋଟାଏ ଆଲୋଚନା, ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କ ମୁଣ୍ଡରେ ପେଚା ବସିଲାଣି ନା ରାଜ୍ୟବାସୀଙ୍କର ଶନିଦଶା ।

ଦିଅଁ ସାଙ୍ଗକୁ ଖଟୁଲି ବିକି ନିର୍ବାଚନ ଚାନ୍ଦା ଗୋଟାଇବା ନିଶାରେ ବିଜୁ ଜନତା ଦଳ ଲାଭଜନକ ସଂସ୍ଥା ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମକୁ ବିକିବାକୁ ବସିଛି । ଓପିଜିସି ଏବେ ୧୭୪୦ ମେଗାୱାଟ କ୍ଷମତା ସମ୍ପନ୍ନ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର । ଦିନେ ଉକ୍ତ ସଂସ୍ଥାକୁ ଏଇଏସ୍‌ ହାତକୁ ଟେକି ଦିଆଯାଇଥିଲା । ୨୦୨୦ରେ ଏଇଏସ୍‌ ହାତରୁ ଓପିଜିସିକୁ ମୁକୁଳାଇଲେ ରାଜ୍ୟ ସରକାର । ମାତ୍ର ଦୁଇବର୍ଷ ନପୁରୁଣୁ ପୁଣି ଓପିଜିସିକୁ ଟାଟା ହାତକୁ ଟେକିଦେବା ଚକ୍ରାନ୍ତ ପଛରେ ମୋଟା ଅଙ୍କର ନିର୍ବାଚନ ଚାନ୍ଦା ସାଉଁଟିବା ଉଦ୍ଦେଶ୍ୟ ନାହିଁ ତ? ଏଇଏସର ୪୯ ଭାଗ ଅଂଶଧନକୁ ଓପିଜିସି ୯୯୮ କୋଟି ଟଙ୍କାରେ କିଣିଥିଲା । ଏବେ ସେହି ଅଂଶଧନକୁ ବିକିବା ପାଇଁ ଅଂଟା ଭିଡ଼ିଚନ୍ତି ସରକାର ।