୪୫ଡିଗ୍ରୀ ଟପିବ ରାଜଧାନୀର ତାପମାତ୍ରା

ଭୁବନେଶ୍ୱର: ଆସନ୍ତା୨୬ତାରିଖରୁ ସାରା ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହେବ । ଅସ୍ତବ୍ୟସ୍ତ ହୋଇଉଠିବ ଜନଜୀବନ । ଏପରିକି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୫ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି । ୨୬ତାରିଖରେ ଭୁବନେଶ୍ୱରର ତାପମାତ୍ରା ୪୨ରୁ ୪୫ଡିଗ୍ରୀ ଭିତରେ ରହିବାର ସମ୍ଭାବନା ଥିବାବେଳେ ୨୨ରୁ ୨୫ ପର୍ଯ୍ୟନ୍ତ ୪୦ଡିଗ୍ରୀ ଉପରେ ପାରଦ ରହିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ଗତ କିଛିଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ।

ପ୍ରବଳ ତାତି ସାଙ୍ଗକୁ ଝାଞ୍ଜି ପବନ ଲୋକଙ୍କୁ ଦହଗଞ୍ଜ କରୁଛି । ପୂର୍ବାହ୍ନ ୮ଟାରୁ ଖରାର ପ୍ରକୋପ ଅନୁଭୂତ ହେଉଛି । ଏପରିକି ଦିନ ୧୨ଟା ବେଳକୁ ରାସ୍ତାଘାଟ ଶୂନ୍‌ଶାନ ହୋଇପଡିବା ସହ ଦୋକାନ ବଜାର ବନ୍ଦ ରହୁଥିବାର ଦେଖିବାକୁ ମିଳୁଛି । ଏବେ ବି ରାଜ୍ୟର ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ରେକର୍ଡ କରାଯାଇଛି । ଆଗାମୀ ଦିନରେ ତାତିର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।