ତାରାଚାନଙ୍କ ସ୍ୱପ୍ନ ପୂରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଲାଙ୍ଗୀର ବଙ୍ଗୋମୁଣ୍ଡା ତହସିଲର ଜଣେ ଛାତ୍ର ତାରାଚାନ ରଣାଙ୍କ ଇଞ୍ଜିନିୟରିଂ ପଢିବା ସ୍ୱପ୍ନକୁ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥ ଅଭାବରୁ ସେ କରିବାରେ ବାଧା ସୃଷ୍ଟି ହେଉଥିବା ସଂପର୍କରେ ଜାଣି ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଇଞ୍ଜିନିୟରିଂ ପାଇଁ ପ୍ରବେଶିକା ପରୀକ୍ଷାରେ ୯୯.୩୫ ପ୍ରତିଶତ ମାର୍କ ରଖିଥିଲେ । ତାଙ୍କର ଆଡମିଶନ ପାଇଁ ଆବଶ୍ୟକ ଅର୍ଥ ନଥିଲା ।

କଷ୍ଟେମଷ୍ଟେ ସେ ଅଳ୍ପ କିଛି ଟଙ୍କା ସଂଗ୍ରହ କରି ଆଡମିଶନ ପାଇଁ ସ୍ଥାନ ସୁରକ୍ଷିତ ରଖିପାରିଛନ୍ତି । ତାଙ୍କର ବାକି ଅର୍ଥ ପ୍ରଦାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ତାଙ୍କର ଆଡମିଶନ କରିବା ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କରିଥିଲେ । ଟଙ୍କା ମଞ୍ଜୁର କରିବା ସହିତ ମୁଖ୍ୟମନ୍ତ୍ରୀ ଏହି ପ୍ରତିଭାବାନ ଛାତ୍ରଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।