ଲାଲ ଆତଙ୍କ ନେଲା ସାମ୍ବାଦିକଙ୍କ ଜୀବନ

ଭୁବନେଶ୍ୱର/କଳାହାଣ୍ଡି,(ସାକ୍ସୀ ନ୍ୟୁଜ୍): ମାଓବାଦୀ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ମୋହନଗିରି ଅଞ୍ଚଳର ସାମ୍ବାଦିକ ରୋହିତ ବିଶ୍ୱାଳ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରର କର୍ଲାଖୁଣ୍ଟା ନିକଟରେ ଘଟିଛି ଏଭଳି ଦୁଃଖଦ ଘଟଣା ।
ସୂଚନା ଅନୁଯାୟୀ, ଭୋଟ ବର୍ଜନ ଅନ୍ୟ କେତେକ ଦାବି ନେଇ ମାଓବାଦୀମାନେ ମଦନପୁର ରାମପୁରର କର୍ଲାଖୁଣ୍ଟା ଓ ମଣିକେରା ମଝିରେ ଥିବା ଜଙ୍ଗଲରେ ନିକଟରେ ପୋଷ୍ଟର ଓ ବ୍ୟାନର୍ ଲଗାଇଥିଲେ । ସାମ୍ବାଦିକ ରୋହିତ ବିଶ୍ୱାଳ ସେହି ପୋଷ୍ଟରର ଫଟୋ ଉଠାଇବା ପାଇଁ ସେଠାକୁ ଯାଇଥିଲେ । ତେବେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଖଞ୍ଜିଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଏଥିରେ ଘଟଣାସ୍ଥଳରେ ହିଁ ରୋହିତଙ୍କ ମୃତ୍ୟୁ ହୋଇଥିଲା । ବିସ୍ଫୋରଣ ଶବ୍ଦ ଶୁଣି ନିକଟସ୍ଥ ଦିଲେନ୍ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ । ପରେ ଖବର ପାଇ ପୋଲିସ ଓ ବିଏସଏଫ୍ ବାହିନୀ ଘଟଣାସ୍ଥଳରେ ତଦନ୍ତ ଚଳାଇଛନ୍ତି ।

ରୋହିତ ଏକ ଦୈନିକ ଖବରକାଗଜରେ ରିପୋର୍ଟର ଭାବେ କାମ କରୁଥିଲେ । ଗ୍ରାଉଣ୍ଡ ଜିରୋରୁ ଖବର ସଂଗ୍ରହ କରିବାକୁ ଯାଇଥିଲେ ସାମ୍ବାଦିକ । ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ପରିବାରକୁ ସମବେଦନା ଜଣାଇବା ସହ ୧୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ୯ ଲକ୍ଷ, ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।