ଷ୍ଟାଫ ସିଲେକସନ କମିଶନ ଏକ ଚାକିରୀ ବିକ୍ରି ସଂସ୍ଥାର ପରିଣତ ହୋଇଛି : ଛାତ୍ର କଂଗ୍ରେସ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଦୀର୍ଘ ୨୧ବର୍ଷ ଧରି ନିରବଚ୍ଛନ୍ନ ଭାବେ ରାଜ୍ୟରେ ଶାସନ କରୁଥିବା ବିଜୁ ଜନତା ଦଳର ସରକାର ଅତୀତରେ ରାଜ୍ୟର ଛାତ୍ର ଓ ଯୁବକ ମାନଙ୍କୁ ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ଦେଇ ପରବର୍ତୀ ମୁହୂର୍ତରେ ବାରମ୍ବାର ପ୍ରତାରିତ କରିଚାଲିଛନ୍ତି । ନିକଟ ଅତୀତରେ ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି ରାଜ୍ୟରେ ପିସି କାରବାର ଚାଲିଛି ଓ ମୁଖ୍ୟମନ୍ତ୍ରୀ ୫ଟି ମାଧ୍ୟମରେ ଏ କାରବାରକୁ ବନ୍ଦ କରିବେ । କିନ୍ତୁ ଆଶ୍ଚର୍ଯ୍ୟର କଥା ୫ଟି ର ସ୍ୱତନ୍ତ୍ର ବିଭାଗ ଅଧିନରେ ଥିବା ଓଡ଼ିଶା ଷ୍ଟାଫ ସିଲେକସନ କମିଶନରେ ଚାକିରୀ ଦେବା ନାମରେ ଯେଉଁଭଳି କେଳେଙ୍କାରୀ ପ୍ରକାଶ ପାଇଛି ତାହା ନବୀନ ସରକାରଙ୍କ ଅସଲ ମୁଖା ଖୋଲିଦେଇଛି । ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ରାଜ୍ୟର ଲକ୍ଷ ଲକ୍ଷ ବେକାର ଛାତ୍ର ଓ ଯୁବକ ମାନଙ୍କର ସ୍ୱର ସହ ତାଳ ଦେଇ ସାରା ରାଜ୍ୟରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ସବୁ ଗ୍ରହଣ କରିଛନ୍ତି ।

ଶ୍ରୀ ନୱାଜ ସରକାରଙ୍କ ଏଭଳି ମନମୁଖି କାର୍ଯ୍ୟ ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ ଗଢ଼ିତୋଳିବା ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି । ଏହି ମର୍ମରେ ରାଜ୍ୟ ଷ୍ଟାଫସିଲେକସନ କମିଶନ ଆଗରେ ଛାତ୍ର କଂଗ୍ରେସ ବିକ୍ଷୋଭ କରିବା ସହିତ ରାଜ୍ୟର ସମସ୍ତ ଜିଲ୍ଲାରେ ଆନ୍ଦୋଳନକୁ ତୀବ୍ରତର କରିଛନ୍ତି । ଶ୍ରୀ ନୱାଜଙ୍କ ପ୍ରତକ୍ଷ ତତ୍ୱାବଧାନରେ ଅଦାବଧି ୧୨ ଟି ଜିଲ୍ଲାରେ ବିକ୍ଷୋଭ କାର୍ଯ୍ୟକ୍ରମ ସରିଥିଲା ବେଳେ ଆଗାମୀ ଦିନରେ ଅନ୍ୟାନ୍ୟ ସମସ୍ତ ଜିଲ୍ଲାରେ ଏହି ଆନ୍ଦେଳନ ଚାଲୁ ରହିବା ସହିତ ଚାଲୁ ରହିବ । ସରକାର ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ନକଲେ ରାଜ୍ୟର ସମସ୍ତ ଛାତ୍ର ଓ ଯୁବସମାଜକୁ ଏକାଠି କରି ଆଗାମୀ ବିଧାନସଭା ଅଧିବେଶନ ସମୟରେ ଛାତ୍ର କଂଗ୍ରେସ ଭୁବନେଶ୍ୱରରେ ଏକ ବିରାଟ ବିକ୍ଷୋଭ କାର୍ଯ୍ୟକ୍ରମ କରିବେ ।