ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ପ୍ରକ୍ରିୟା ବେଆଇନ; ହାଇକୋର୍ଟ ରାୟ ସୁପ୍ରିମକୋର୍ଟରେ କାଏମ

ରାଜ୍ୟ ସରକାର ଏବଂ ଅନୀଲ ଅଗ୍ରଵାଲ ଫାଉଣ୍ଡେସନ୍‌କୁ ଜବରଦସ୍ତ ଝଟ୍‌କା

ନୂଆଦିଲ୍ଲୀ : ପୁରୀର ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ଏକ ମସ୍ତବଡ ଝଟ୍‌କା ଦେଇ ସୁପ୍ରିମକୋର୍ଟ ବୁଧବାର ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ସମର୍ଥନ କରିଛନ୍ତି ଯାହା ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ପୃଥକ କରିଛି। ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୧୦,୦୦୦ ଏକର ଜମି ଅଧିଗ୍ରହଣକୁ ବେଆଇନ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ସୂଚନା ଥାଉକି, ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରକଳ୍ପ ମାମଲାରେ ଉଭୟ ରାଜ୍ୟ ସରକାର ଏବଂ ଅନୀଲ ଅଗ୍ରଵାଲ ଫାଉଣ୍ଡେସନ୍‌କୁ ଜବରଦସ୍ତ ଝଟ୍‌କା ସହ ବିଶ୍ବବିଦ୍ୟାଳୟ ପାଇଁ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ପ୍ରକ୍ରିୟା ବେଆଇନ ବୋଲି ହାଇକୋର୍ଟ ଯେଉଁ ରାୟ ଦେଇଥିଲେ, ସୁପ୍ରିମକୋର୍ଟ ତାକୁ କାଏମ୍‌ ରଖିଛନ୍ତି। ଏହା କେବଳ ସେତିକି ନୁହେଁ, ଗୋଟିଏ କଂପାନି ବା ଟ୍ରଷ୍ଟକୁ ରାଜ୍ୟ ସରକାର ଯେଭଳି ଅହେତୁକ ଅନୁକମ୍ପା ଦେଖାଇଛନ୍ତି, ତାହା ଦେଖି ସର୍ବୋଚ୍ଚ ନ୍ୟାୟାଳୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସମୁଦାୟ ଘଟଣାକୁ କୋର୍ଟ ନାପସନ୍ଦ କରିବା ସହିତ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବାକୁ ପଛାଇନାହାନ୍ତି। ୨୦୧୦ ନଭେମ୍ବର ୧୬ ତାରିଖରେ ଓଡ଼ିଶା ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଭି ଗୋପାଳଗୌଡ଼ା ଓ ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଥିଲେ।

ସର୍ବୋଚ୍ଚ ନ୍ୟାୟାଳୟ ହାଇକୋର୍ଟଙ୍କ ରାୟ ବିରୋଧରେ ରାଜ୍ୟ ସରକାର ଓ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ଦ୍ବାରା ଦାଖଲ ଅପିଲକୁ ଖାରଜ କରି, ଏହି ମାମଲାର ରାୟ ଶୁଣାଇବା ବେଳେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନକୁ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି ଏବଂ ଛଅ ସପ୍ତାହ ଭିତରେ ଏହି ଅର୍ଥରାଶିକୁ ରେଜିଷ୍ଟ୍ରାରଙ୍କ ନିକଟରେ ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅର୍ଥରାଶି ଓଡ଼ିଶା ରାଜ୍ୟ ନ୍ୟାୟ ସେବା ପ୍ରାଧିକରଣକୁ ସ୍ଥାନାନ୍ତରିତ କରାଯିବ ବୋଲି ସୁପ୍ରିମକୋର୍ଟ କରିଛନ୍ତି।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମ.ଆର.ଶାହା ଓ ଜଷ୍ଟିସ କ୍ରିଷ୍ନା ମୁରାରୀଙ୍କ ଖଣ୍ଡପୀଠ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ। ଏହି ରାୟ ସହିତ ପ୍ରସ୍ତାବିତ ଏହି ପ୍ରକଳ୍ପରେ ପୂର୍ଣ୍ଣ‌ଚ୍ଛେଦ ପଡିଛି। ପୂର୍ବରୁ ଏହି ବିଶ୍ବବିଦ୍ୟାଳୟ ପାଇଁ ବିଧାନସଭାରେ ପାରିତ ହୋଇଥିବା ବିଲ୍‌କୁ ତତ୍କାଳୀନ ରାଜ୍ୟପାଳ ଅଟକାଇ ଦେଇଥିଲେ ଓ ସେ ସମୟରେ ଲୋକପାଳ ଦେଇଥିବା ରିପୋର୍ଟ ସରକାରଙ୍କୁ କାଠଗଡ଼ାକୁ ଟାଣି ଆଣିଥିଲା।

ଅନୀଲ ଅଗ୍ରଵାଲ ଫାଉଣ୍ଡେସନ୍‌ ପିଟିସନକୁ ସିଧାସଳଖ ଖାରଜ କରିବା ପୂର୍ବରୁ ସୁପ୍ରିମକୋର୍ଟ ଯେଉଁ ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ଇଙ୍ଗିତ କରିଛନ୍ତି ତାହା ହେଲା, ଅଧିଗ୍ରହଣ ହୋଇଥିବା ଜମି କୃଷି କାର୍ଯ୍ୟରେ ବ୍ୟବହୃତ ହେଉଛି ଏବଂ ଏହା ୬ହଜାର ପରିବାରଙ୍କ ଏକମାତ୍ର ଜୀବନଜୀବିକା। ତାହାକୁ କ୍ଷତିପୂରଣ ଆଳରେ କେହି ଅଧିଗ୍ରହଣ କରିପାରିବେ ନାହିଁ। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ହାଇକୋର୍ଟ ଖାରଜ କରିବା ଉପରେ ସୁପ୍ରିମକୋର୍ଟ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ସମଗ୍ର ଅଧିଗ୍ରହଣ ପ୍ରକ୍ରିୟା ଏବଂ ସୁବିଧା ସଂପର୍କିତ ରାଜ୍ୟ ସରକାରଙ୍କ ପ୍ରସ୍ତାବ ପକ୍ଷପାତ ପ୍ରେରିତ। ଏହା ସମ୍ବିଧାନର ଅନୁଚ୍ଛେଦ ୧୪ର ଉଲ୍ଲଂଘନ କରୁଛି। ଯାହାକି ବେଦାନ୍ତ ବିଶ୍ବବିଦ୍ୟାଳୟକୁ ସଂପୂର୍ଣ୍ଣ ସ୍ବାୟତତ୍ତା ପ୍ରଦାନ କରିବା, ସଂରକ୍ଷଣ ନିୟମର ଫାଇଦା ଉପଲବ୍ଧ କରାଇବା, ୟୁଜିସି ଏବଂ ଏଆଇସିଟିଇରୁ ସମସ୍ତ ନିୟାମକ ଅନୁମୋଦନର ସହାୟତା ପ୍ରଦାନ କରିବା, ଭୁବନେଶ୍ବରରୁ ପ୍ରସ୍ତାବିତ ପ୍ରକଳ୍ପ ପର୍ଯ୍ୟନ୍ତ ଚାରିଥାକିଆ ‌ରୋଡ, ସମସ୍ତ କର ଛାଡ ପାଇଁ ପ୍ରତିଶ୍ରୁତି, ପ୍ରକଳ୍ପ ପାଇଁ ବିଦ୍ୟୁତ ଓ ଜଳ ଯୋଗାଣ ଉପଲବ୍ଧ କରାଇବା ଭଳି ସରକାର ଯେଉଁ ଅହେତୁକ ଫାଇଦା ଦେବାକୁ ନିଷ୍ପତ୍ତି ନେଇଥିଲେ, ସୁପ୍ରିମକୋର୍ଟ ସେଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ସେହିଭଳି ଅଧିଗ୍ରହଣ କରାଯାଇଥିବା ଜମି ପାଖରେ ରହିଥିବା ଦୁଇଟି ନଦୀ ଯଥା ନୂଆନଈ ଏବଂ ନାଳାର ପ୍ରବାହକୁ ନେଇ ରାଜ୍ୟ ସରକାର ପରିବେଶ ଦିଗ ଉପରେ ବିବେକ ଅନୁସାରେ ପରିଚାଳିତ ହୋଇନାହାନ୍ତି ବୋଲି କୋର୍ଟ ଅସନ୍ତୋଷ ଝାଡ଼ିଛନ୍ତି। ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ଯେ ନଦୀ ଦୁଇଟିର ରକ୍ଷଣାବେକ୍ଷଣ କଂପାନିକୁ କିପରି ଦିଆଯାଇପାରିବ? ଏହାଦ୍ବାରା ନଦୀର ନିୟନ୍ତ୍ରଣ ଘରୋଇ କଂପାନି ହାତକୁ ଚାଲିଯିବ, ଯାହା ପବ୍ଲିକ ଟ୍ରଷ୍ଟର ସିଦ୍ଧାନ୍ତକୁ ଉଲ୍ଲଂଘନ କରିବ। ସେହିଭଳି ନଦୀର ପ୍ରବାହକୁ ନିୟନ୍ତ୍ରଣ ଦ୍ବାରା ସ୍ଥାନୀୟ ଲୋକଙ୍କ ଉପରେ ପ୍ରଭାବ ପକାଇବ।

କେବଳ ସେତିକି ନୁହେଁ, ଜମି ଅଧିଗ୍ରହଣ ନିମନ୍ତେ ରହିଥିବା ନିୟମକୁ ଯେଉଁଭଳି ଉଲ୍ଲଂଘନ କରାଯାଇଛି ଏବଂ ଓଡିଶା ହାଇକୋର୍ଟ ତାଙ୍କ ରାୟରେ ଯେତେ ସବୁ ବିନ୍ଦୁ ଉପସ୍ଥାପନ କରିଛନ୍ତି, ସେ ସବୁ କଥା ଉପରେ ସୁପ୍ରିମକୋର୍ଟ ମୋହର ଲଗାଇଛନ୍ତି।

ସୁପ୍ରିମକୋର୍ଟ ତାଙ୍କ ରାୟରେ ପୁଣି କହିଛନ୍ତି ଯେ ରାଜ୍ୟ ସରକାର କେବଳ ଗୋଟିଏ କଂପାନି/ଟ୍ରଷ୍ଟ ସ୍ବାର୍ଥରେ ବିଚାର କରିବାର ନଥିଲା। କାହିଁକି ନା’ ଅନ୍ୟ ପବ୍ଲିକ ଟ୍ରଷ୍ଟ /କଂପାନିମାନେ ମଧ୍ୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାରେ ଆଗ୍ରହ ପ୍ରକାଶ କରିଥାନ୍ତେ। ସେହିଭଳି କଂପାନିର ପ୍ରସ୍ତାବକୁ ରାଜ୍ୟ ସରକାର ଏବଂ ଜିଲ୍ଲାପାଳ କେହି ବି ଠିକ୍ ଭାବେ ଅନୁଧ୍ୟାନ କରିନାହାନ୍ତି। କାରଣ ପ୍ରସ୍ତାବିତ ଏହି ପ୍ରକଳ୍ପ ପାଇଁ ପ୍ରଥମେ ୧୫,୦୦୦ ଏକର କୃଷି ଜମି ଅଧିଗ୍ରହଣ କରିବା ଲାଗି ପ୍ରସ୍ତାବ ରହିଥିଲା। ପରେ ଏହି ଜମିର ପରିମାଣ କମିଗଲା। ଏମିତି କେମିତି ହେଲା। ଅର୍ଥାତ୍ ପ୍ରସ୍ତାବଟି ଆଦୌ ବାସ୍ତବମୁଖୀ ନଥିଲା। ୧୫ହଜାର କୋଟିର ପ୍ରସ୍ତାବିତ ଏହି ପ୍ରକଳ୍ପ ପାଇଁ ୮୦୦୦ ଏକର ଜମି ଘରୋଇ ଜମି ମାଲିକ /କୃଷକଙ୍କ ଠାରୁ ଅଧିଗ୍ରହଣ କରାଯାଇଥିଲା। ରାଜ୍ୟ ସରକାର ନିଜେ ଗୋଚର ଜମି ସହିତ ୪୯୫ ଏକର ଜମି ପ୍ରଦାନ କରିଥିଲେ। ଏହି ଜମି ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିଥାନ୍ତା ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମତ ରଖିଛନ୍ତି।

୨୦୦୬ ମସିହାରେ MOU ସ୍ବାକ୍ଷର ହେବା ପରଠାରୁ ପୁରୀର ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥଙ୍କ ନେତୃତ୍ବରେ ସ୍ଥାନୀୟ ଲୋକମାନେ ପ୍ରସ୍ତାବିତ ଏହି ପ୍ରକଳ୍ପକୁ ବିରୋଧ କରି ଆସୁଥିଲେ। ସୁପ୍ରିମକୋର୍ଟର ଆଇନଜୀବୀ ପ୍ରଶାନ୍ତ ଭୂଷଣ ଜନସ୍ୱାର୍ଥ ମାମଲା କରିଥିବା ଜମି ମାଲିକଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିବାବେଳେ ସୁପ୍ରିମକୋର୍ଟର ସିନିଅର ଆଡଭୋକେଟ ସିଏ ସୁନ୍ଦରାମ ବେଦାନ୍ତ ପକ୍ଷରୁ ମାମଲା ଲଢୁଥିଲେ।