ଚନ୍ଦ୍ରଶେଖରପୁର ଅଞ୍ଚଳରେ ଦୁଇଟି ବାରକୁ କୋଭିଡ଼ ନିୟମ ଉଲ୍ଲଂଘନ ହେତୁ ସିଲ୍

ଭୁବନେଶ୍ୱର: ଗୀତ ସହିତ ନାଚରେ ମସଗୁଲ ଥିଲେ ସମସ୍ତେ। ମାନି ନଥିଲେ ନାଇଟକର୍ଫ୍ୟୁ କଟକଣା। ପାର୍ଟି ପୁରା ଧୁମ୍‌ଧାମରେ ଚାଲିଥିଲା ଆଉ ଠିକ୍ ସେହି ସମୟରେ ଚଢ଼ଉ କରିଥିଲା ବିଏମସି। ଗତକାଲି ରାଜଧାନୀରେ ବିଳମ୍ବିତ ରାତି ଯାଏଁ କୋଭିଡ୍ ନିୟମ ଉଲ୍ଲଂଘନ କରି ଏକ ବାର ଚାଲିଥିଲା। ଯେଉଁଠି ଶହ ଶହ ଲୋକଙ୍କ ଭିଡ ମଧ୍ୟ ରହିଥିଲା। ରାଜଧାନୀରେ ଏହି ରଙ୍ଗିନ ଡ୍ୟାନ୍ସ ଚାଲିଥିବା ବେଳେ ପହଞ୍ଚିଯାଇଥିଲା ପୁଲିସ ଓ ବିଏମସିର ସ୍ୱତନ୍ତ୍ର ଟିମ୍।
ସୂଚନା ଅନୁସାରେ ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଦୁଇଟି ବାରକୁ କୋଭିଡ଼ ନିୟମ ଉଲ୍ଲଂଘନ ହେତୁ ବିଏମସିର ସ୍ୱତନ୍ତ୍ର ଟିମ୍ ଏବଂ କମିସନରେଟ୍ ପୁଲିସ ମିଳିତ ଚଢ଼ଉ କରି ସିଲ୍ କରିଛନ୍ତି। ରାଜଧାନୀରେ ୨ଟି ବାର୍ ସିଲ୍ ହେବା ସହିତ ୪ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। କମିସନରେଟ ପୁଲିସର ସୂଚନା ମୁତବକ ଏମାନଙ୍କ ବିରୋଧରେ ମୋଟା ଅଙ୍କର ଫାଇନ୍ କଟାଯିବା ସହିତ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।