ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି, ଉପକୂଳରେ ଗୁଳୁଗୁଳି

ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି । ୪୦ ଡିଗ୍ରୀ ତଳକୁ ଖସୁନି ଦି…

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି । ୪୦ ଡିଗ୍ରୀ ତଳକୁ ଖସୁନି ଦିନ ତାପମାତ୍ରା । ଏଣେ ଉପକୂଳ ଓଡ଼ିଶାରେ ବିଶେଷ ଖରା ଅନୁଭୂତ ହେଉ ନ ଥିଲେ ମଧ୍ୟ ଅସହ୍ୟ ଗୁଳୁଗୁଳି । ଉପକୂଳବର୍ତ୍ତୀ ଜିଲାଗୁଡିକରେ ସର୍ବାଧିକ ତାପମାତ୍ରା ୩୫/୩୭ ଡିଗ୍ରୀ ଭିତରେ ରହୁଛି। ଉପକୂଳ ପରି ଦକ୍ଷିଣ ଓଡ଼ିଶାରେ ମଧ୍ୟ ସମାନ ପରିସ୍ଥିତି। ଆସନ୍ତାକାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଭୁବନେଶ୍ବର ପାଣିପାଗକେନ୍ଦ୍ରର ଆକଳନ ଅନୁଯାୟୀ ଆସନ୍ତା ୫ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢିବା ଦ୍ବାରା ରବିବାର ୩ଟି ସହରରେ ପାରଦ ୪୩ ଡିଗ୍ରୀ ଟପିଛି ।

୪୩.୩ ଡିଗ୍ରୀ ସହ ସୁବର୍ଣ୍ଣପୁର ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି। ବଲାଙ୍ଗୀର ଓ ସୁନ୍ଦରଗଡରେ ଦିନ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି। ୧୧ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ଅନୁଗୋଳ ଓ ହୀରାକୁଦରେ ୪୦.୧, ଝାରସୁଗୁଡା ୪୧.୬, ସମ୍ବଲପୁର ୪୨.୨, ତାଳଚେର ୪୦, ଭବାନୀପାଟଣା ୪୧.୫, ଟିଟିଲାଗଡ ୪୨.୨, ମାଲକାନଗିରି ୪୧, ନୂଆପଡା ୪୧.୫, ଭୁବନେଶ୍ବର ୩୫.୮ ଏବଂ କଟକରେ ୩୫.୨ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି।