ନବୀନ ସରକାରଙ୍କ ପାଖରେ ମଣିଷର ଜୀବନ ମୂଲ୍ୟହୀନ- ୟାସିର ନଓ୍ବାଜ, ସଭାପତି ପ୍ରଦେଶ ଛାତ୍ର କଂଗ୍ରେସ

ଭୁବନେଶ୍ୱର ୨୯.୧୨- ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଚାଲିଥିବା ଗୁଟଖା କମ୍ପାନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭିତିରି ପ୍ରୋତ୍ସାହନ ରହିଛି ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି । ଗୁଟଖା ବ୍ୟବସାୟକୁ ବନ୍ଦ କରିବାପାଇଁ ସମସ୍ତ ଆଇନ ଥିବାବେଳେ ନବୀନ ଶାସନର ବାହୁଛାୟା ତଳେ ଏହା ଅବାଧରେ ଚାଲିଛି । ସମ୍ବଲପୁର ଉପକଣ୍ଠସ୍ଥିତ ସମ୍ବଲପୁରରୁ ଝାରସୁଗୁଡ଼ା ଯାଇଥିବା ବିଜୁ ଏକ୍ସପ୍ରେସ ରାସ୍ତା କଡ଼ରେ ପରଧୁଆ ପାଲ୍ଲିରେ କେ.ପି. ସୁଗନ୍ଧ ଲିମିଟେଡ ନାମକ କମ୍ପାନୀ ସରକାରଙ୍କ ସମସ୍ତ ପ୍ରତିବନ୍ଧକ ଓ ନିୟମାବଳୀ ଉଲଙ୍ଘନ କରି “ମଧୁବନ” ସଫଳ ଗୁଟଖା ଓ ପାନମସଲା ଅବାଧରେ ତିଆରି କରୁଛି। ଏହାର ସୁରକ୍ଷା ଦାୟୀତ୍ବ ନେଇଛି ନବୀନ ବାବୁଙ୍କ ପ୍ରଶାସନ । ଦୁଇଜଣ ମନ୍ତ୍ରୀଙ୍କର ପ୍ରୋତ୍ସାହନରେ ଏହା ଚାଲିଛି ବୋଲି ସାଧାରଣ ଜନତା ଅଭିଯୋଗ କରିଛନ୍ତି । ଏହି କମ୍ପାନୀର ମାଲିକଙ୍କ ସହ ଦୁଇଜଣ ମନ୍ତ୍ରୀଙ୍କର ଭିତିରି ସଂପର୍କ ରହିଛି । ଅଗ୍ନିସମ ବିଭାଗରୁ ଏହି କମ୍ପାନୀକୁ ଅନୁମତି ଦିଆଯାଇ ନାହିଁ । ମାତ୍ର ଏହା ଚାଲୁଛି କିପରି । ଏଥପାଇଁ ଗୃହବିଭାଗର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦାୟୀ । ଏହି କମ୍ପାନୀର ଶ୍ରମିକ ଅତି ନିର୍ଯ୍ୟାତିତ ଅବସ୍ଥାରେ ଏବଂ ଅସ୍ଵାସ୍ଥ୍ୟକର ପରିବେଷରେ କାମ କରୁଛନ୍ତି । ହେଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ପାଖ ଜିଲ୍ଲାର ଜନପ୍ରତିନିଧି ହୋଇ ମଧ୍ୟ ଏହାକୁ ଘଂଟ ଘୋଡାଇଛନ୍ତି । ଏମାନଙ୍କୁ ଦାୟୀ କରିବାର କାରଣ ହେଲା ବାରମ୍ବାର ସ୍ଥାନୀୟଲୋକ ଏହି କମ୍ପାନୀ ବିରୋଧରେ ଏମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି, ଏମାନଙ୍କର ବିଭାଗୀୟ କର୍ତ୍ତୃପକ୍ଷ ମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ମାତ୍ର, ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ଏମାନେ ଉପେକ୍ଷା କରିଛନ୍ତି । କାରଣ ଏହି କମ୍ପାନୀର ମାଲିକଙ୍କ ସହ ଏହି ଦୁଇଜଣ ବିଶିଷ୍ଟ ରାଜନେତାଙ୍କର ଭିତିରି ସଂପର୍କ ରହିଛି ।

ସରକାରୀ ବ୍ୟାନ ସତ୍ତ୍ୱେ ଦୀର୍ଘ ୮ ବର୍ଷ ହେବ ଏହି ବ୍ୟବସାୟ ଖୁଲମଖୋଲା ଚାଲିଆସୁଥିବା ବେଳେ ପ୍ରଶାସନ କାହିଁକି ନୀରବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅନ୍ୟପକ୍ଷରେ ସରକାରଙ୍କ ନିୟମ ଅନୁଯାୟୀ ସ୍କୁଲ ନିକଟରେ ଗୁଟଖା ବିକ୍ରି ନିଷେଧ, ମାତ୍ର ଏକଥାକୁ ମାନୁଛି କିଏ । ଏଠାରେ ପ୍ରଦୂଷଣ ଆଇନକୁ ଖୋଲାଖୋଲି ଉଲଙ୍ଘନ କରାଯାଇଛି । ପ୍ରଦୂଷଣ ବିଭାଗର କର୍ତ୍ତୃପକ୍ଷଙ୍କୁ ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।

ନିକଟରେ ଏହି କମ୍ପାନୀରେ ହୋଇଥିବା ଅଗ୍ନିକାଣ୍ଡରେ ବହୁ ଶ୍ରମିକ ପୋଡ଼ିଯାଇଛନ୍ତି । ତିନିଜଣ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ଅଗ୍ନିଶ୍ରମ ବିଭାଗ ପକ୍ଷରୁ ଏହି କମ୍ପାନୀର କାନ୍ଥ ଭାଙ୍ଗି ଧୂଆଁକୁ ବାହାର କରିବା ସହିତ ନିଆକୁ ଆୟତ କରାଯାଇଥିଲା । ଅଗ୍ନିକାଣ୍ଡକୁ ରୋକିବା ପାଇଁ ଯାହା ସରକାରୀ ନିୟମ ଅନୁଯାୟୀ ବ୍ୟବସ୍ଥା କରିବାକଥା ତାହା ଏଠାରେ କରାଯାଇ ନାହିଁ ।

ଏହି କମ୍ପାନୀ ଅଗ୍ନିଶମ ବିଭାଗର ଅନୁମତି ଆଣିନାହିଁ । ମାତ୍ର ହାତଗଣତିରେ କେଇଟା ଛୋଟିଆ ଅଗ୍ନିନିର୍ବାପକ ଯନ୍ତ୍ର ଲୋକଦେଖାଣିଆ ଭାବରେ ରଖାଯାଇଛି । ଯଦି ଏହି ଅଗ୍ନିନିର୍ବାପକ ଯନ୍ତ୍ର ଗୁଡ଼ିକ ସମୟରେ କାମ କରିଥାନ୍ତା ତାହାହେଲେ ଅଗ୍ନିଶମ ଦଳ ପହଂଚିବା ପର୍ଯ୍ୟନ୍ତ ଅଗ୍ନିକାଣ୍ଡ କିଛିଟା ନିୟନ୍ତ୍ରଣରେ ରହିଥାନ୍ତା । ଯାହାଫଳରେ ଅନେକ ଶ୍ରମିକ ସେଠାରେ ଆହତ ହେବାରୁ ବର୍ତି ଯାଇଥାନ୍ତେ ।

ଏହି କାରଖାନାରେ ରାଜ୍ୟ ବାହାରୁ ୫ଶହରୁ ଉର୍ଦ୍ଧ୍ବ ଶ୍ରମିକଙ୍କୁ ଅଣାଯାଇ ତିନୋଟି ସିଫ୍ଟରେ ନିରନ୍ତର କାମରେ ଲଗାଯାଉଛି । ଅତ୍ୟନ୍ତ ଅସ୍ଵାସ୍ଥ୍ୟକର, ଅପିରଷ୍କାର ଓ ଅପରିଚ୍ଛିନ୍ନ ପରିବେଷ ମଧ୍ୟରେ ଶ୍ରମିକମାନେ କାମକରୁଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟପ୍ରତି ମଧ୍ୟ ସର୍ବନିମ୍ନ ଧ୍ୟାନ ଦିଆଯାଉ ନାହିଁ । ଗୁଟଖା ନିର୍ମାଣ ଓ ପ୍ୟାକିଂ ଆଦିର ବ୍ୟବହୃତ ବହୁତ ଗୁଡ଼ିଏ ସାମଗ୍ରୀ ଅତ୍ୟନ୍ତ ଜଳନଶୀଳ ହୋଇଥିବା ବେଳେ ସେଠାରେ ବାୟୁ ଚଳାଚଳ ପାଇଁ ପର୍ଯ୍ୟାପ୍ତ ସୁବିଧା ନାହିଁ । କେତେ ଶ୍ରମିକ ଅଛନ୍ତି ଏବଂ ଶ୍ରମିକଙ୍କର ଅବସ୍ଥା କଣ ସେ ବିଷୟରେ ଶ୍ରମ ବିଭାଗ ପାଖରେ ଖବର ନାହିଁ । ଏବେ ଶ୍ରମମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଘଟଣାକୁ ଚପାଇଦେବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ।

ଏଠରେ ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଚିଠି ସଂଖ୍ୟା ୩୬୭, ତା ୩.୧.୨୦୧୩ ଅନୁଯାୟୀ ରାଜ୍ୟରେ ୨୦୧୩ ମସିହାର ଗୁଟଖା ଉତ୍ପାଦନ ଓ ବିକ୍ରି ନିଷେଧ କରାଯାଇଛି । ଖାଦ୍ୟସୁରକ୍ଷା ଓ ସାଧାରଣ ଆଇନ ୨୦୧୧ ଅନୁଯାୟୀ ଗୁଟଖା ସ୍ଵାସ୍ଥ୍ୟ ପାଇଁ ହାନୀକାରକ ଦ୍ରବ୍ୟର ବ୍ୟବହାର ହୋଇଥିବାରୁ ଏହାକୁ ୨୦୧୩ ମସିହା ସଂଶୋଧନ ସଂଶୋଧନ ପରେ ନିଷିଦ୍ଧ କରାଯାଇଛି ।

ପ୍ରଦେଶ ଛାତ୍ର କଂଗ୍ରେସର ଦାବି:

୧. କମ୍ପାନୀର ମାଲିକଙ୍କୁ ଗିରଫ ଓ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ।

୨. ଏହି ଦୁର୍ଘଟଣା ପାଇଁ ଶ୍ରମମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଦାୟୀ କରାଯାଇ ସେମାନଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଉ ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

୩. ମୃତ ଶ୍ରମିକଙ୍କ ପରିବାରକୁ ୨୫ଲକ୍ଷ ଏବଂ ଆହତ ଶ୍ରମିକଙ୍କୁ ୫ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯାଉ ।

୪. କମ୍ପାନୀକୁ ତୁରନ୍ତ ବନ୍ଦ କରାଯାଉ ।

ଆଜିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ୟାଶୀର ନୱାଜ ଙ୍କ ସମେତ ରଞ୍ଜିତ ପାତ୍ର,ବିଶ୍ୱ ଭୂଷଣ ମହାପାତ୍ର,କାର୍ତ୍ତିକ କାଣ୍ଡି ପ୍ରମୁଖ ଛାତ୍ର ନେତା ଉପସ୍ଥିତ ଥିଲେ।