ଅପରାଧି ପ୍ରବଣ ବ୍ୟକ୍ତିମାନଙ୍କୁ ଆଗୁଆ ଗିରଫ ନକଲେ ହିଂସା ରୋକିହେବ ନାହିଁ – କଂଗ୍ରେସ

ହିଂସାମୁକ୍ତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଶାସକ ବିଜୁ ଜନତା ଦଳର ନେତାମାନେ ପୋଲିସର ସହଯୋଗରେ ଅପରାଧି ମାନଙ୍କୁ ଧରି ଭୋଟରଙ୍କୁ ଭୟଭିତ କରିବା ଓ ବୁଥ ଜବରଦଖଲ କରୁଛନ୍ତି ପ୍ରତିବାଦ କଲେ ବିରୋଧିଳର କର୍ମୀମାନଙ୍କୁ ଲହୁଲୁହାଣ କରି ଆକ୍ରମଣ କରୁଛନ୍ତି । ଯେଉଁଥିରେ ଚଳିତ ତ୍ରିସ୍ତରୀୟ ପଂଚାୟତରାଜ ନିର୍ବାଚନରେ ହିଂସାକାଣ୍ଡ କ୍ରମଶ ବୃଦ୍ଧି ପାଉଛି । ଯଦି ପୋଲିସ ଆଗୁଆ ପଦକ୍ଷେପ ନେଇ ଏହି ଅପରାଧି ବ୍ୟକ୍ତିମାନଙ୍କୁ ଗିରଫ ନକଲେ ତାହାହେଲେ ହିଂସାକୁ ରୋକି ହେବ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଇଛି କଂଗ୍ରେସ ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଏକ ପ୍ରତିନିଧିଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି ଏବଂ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ସ୍ମାରକପତ୍ରରେ ଦର୍ଶାଯାଇଛି ଯେ ବଲାଙ୍ଗୀର ଜିଲ୍ଳା ଅନ୍ତର୍ଗତ ଦେଓଗାଁ ଓ ବଲାଙ୍ଗୀର ବ୍ଲକରେ କେତେକ ଅପରାଧି ଓ ଜମି ମାଫିଆମାନେ ବିଜେଡ଼ି ସମର୍ଥିତ ସମିତି ସଭ୍ୟ, ସରପଂଚ ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ଜନସାଧାରଣଙ୍କୁ ଭୟଭିତ କରାଉଛନ୍ତି । ଏହି ଅଂଚଳରେ ସ୍ଥାନୀୟ ବିଜେଡ଼ି ନେତାମାନେ ଅପରାଧି ପ୍ରବୃତି ଥିବା ଯୁବକମାନଙ୍କ ଧରି ଗାଁ ଗାଁରେ ଭୋଟରଙ୍କୁ ଧମକାଉଛନ୍ତି । ଉଦାରହରଣ ସ୍ୱରୂପ ଜଣେ ଜମି ମାଫିଆ ଟିମନ କୁମ୍ଭାର ଯେକି ପୂର୍ବରୁ ଏନଏସ୍‌ଏ ଆଇନ ବଳରେ ଗିରଫ ହୋଇଥିଲା, ସେ ବର୍ତମାନ ବିଜେଡ଼ି ପ୍ରାର୍ଥୀଙ୍କ ମୁଖ୍ୟ ପ୍ରଚାରକ ସାଜିଛି । ସେ ଓ ତାଙ୍କର ଅପରାଧି ସହଯୋଗିମାନେ ଯଦି ନିଦ୍ୱନ୍ଦରେ ବୁଲନ୍ତି ତାହାଲେ ନିର୍ବାଚନ ଅବାଧ ଓ ନିରପେକ୍ଷ ହେବା ଅସମ୍ଭବ ତେଣୁ ଜିଲ୍ଳା ପୋଲିସ ପ୍ରଶାସନ ଏହି ଅପରାଧି ପ୍ରବଣ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଆଗୁଆ ଗିରଫ କରାଯିବାକୁ ଦାବି କରାଯାଇଛି ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ବ୍ଲକର ହାବଳଗଣ୍ଡ ଗ୍ରାମର ୧୧,୧୨ ଓ ୧୩ ନଂ ବୁଥ ଏବଂ ପାରିନୂଆପଡ଼ା ୟୁଜିଏମଇ ସ୍କୁଲର ବୁଥ ନଂ ୧୫,୧୬,୧୭,୧୮ ଓ ୧୯ ପ୍ରଭୃତି ପବିତ୍ର ରାଉତ ଓ ପ୍ରଦୀପ୍ତ ରାଉତ ପ୍ରମୁଖ ବୁଥ ଜବରଦଖଲ କରିଛନ୍ତି । ଏଠାରେ ପ୍ରଶାସନର ଅବହେଳା ଯୋଗୁଁ ନିର୍ବାଚନରେ ବାଧା ଉପୁଜିଛି । ଏଠାରେ ପୁନଃ ନିର୍ବାଚନ କରିବାକୁ ସ୍ମାରକ ପତ୍ରରେ ଅନୁରୋଧ କରାଯାଇଛି ।

ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡ଼ଚଣା ବ୍ଲକର ପାଟଣା ୟୁଜିଏମଇ ସ୍କୁଲ ବୁଥ ନଂ ୫, ୬ ଓ ୭ ଠାରେ ପୋଲିସ ଓ ପୋଲିଂ ଅଧିକାରୀଙ୍କ ସାହାଯ୍ୟରେ ବୁଥ ଜବରଦଖଲ ହୋଇଅଛି । ସେହିପରି ଭଦ୍ରକ ଜିଲ୍ଳା ଅନ୍ତର୍ଗତ ଚାନ୍ଦବାଲି ବ୍ଲକର ହଳଦିଆ ଗ୍ରାମର ବୁଥ ନଂ ୧୦,୧୧,୧୨ ଓ ୧୩ ଠାରେ ହେଉଥିବା ବୁଥ ଜବରଦଖଲର ଖବର ପ୍ରସାରଣ କରୁଥିବା ବଡ଼ଖବର ଟିଭି ନ୍ୟୁଜର ସାମ୍ବାଦିକ ତୃପ୍ତିଲତା ସାହୁଙ୍କ ଉପରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ଦୁଭାର୍ଗ୍ୟଜନକ ଓ ନିନ୍ଦାର ବିଷୟ । ଖୁବଶୀଘ୍ର ଆକ୍ରମଣକାରୀଙ୍କୁ ଗିରଫ ଓ ପୁନଃ ନିର୍ବାଚନ ଘୋଷଣା ପାଇଁ କଂଗ୍ରେସ ପକ୍ଷରୁ ଅନୁରୋଧ କରାଯାଇଛି । ବାଲେଶ୍ୱର ଜିଲ୍ଳା ଅନ୍ତର୍ଗତ ବସ୍ତା ବ୍ଲକ କାଦରାୟଣ ପଂଚାୟତର ସମସ୍ତ ବୁଥରେ ପୁନଃ ନିର୍ବାଚନ ନିମନ୍ତେ ମଧ୍ୟ ଅନୁରୋଧ କରାଯାଇଛି । ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଲଖନପୁର ବ୍ଲକର କଣ୍ଡେଇକେଲା ଗ୍ରାମଠାରେ ଖୋଲାଖୋଲି ଭାବରେ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା ବଂଟା ଯାଉଥିବାରୁ ଏଠାରେ ନିର୍ବାଚନ ଆଚରଣ ବିଧି ସଂପୂର୍ଣ୍ଣ ଉଲ୍ଲଙ୍ଘନ କରାଯାଇଛି । ଏ ସମସ୍ତ ଘଟଣାକୁ ନିର୍ବାଚନ ଆୟୋଗ ହସ୍ତକ୍ଷେପ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ମାରକପତ୍ରରେ କଂଗ୍ରେସ ନେତୃବୃନ୍ଦ ଅନୁରୋଧ କରିଛନ୍ତି । ଏହି ପ୍ରତିନିଧି ଦଳରେ କଂଗ୍ରେସ ନିର୍ବାଚନ ଗଣମାଧ୍ୟମ ମୁଖ୍ୟ ମନୋଜ ମହାପାତ୍ର, ଏଆଇସିସି ସଭ୍ୟ ଆଡଭୋକେଟ ଶାନ୍ତନୁ ସାହୁ ଓ ସିର୍ଦ୍ଧାଥ ମହାନ୍ତି ପ୍ରମୁଖ କମିଶନଙ୍କୁ ଭେଟି ଦାବି ପତ୍ର ଦେଇଥିଲେ ।