୨୮ରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ଭୋଟର ତାଲିକାରେ ନାଁ ଯୋଡ଼ିବା ବା ବାଦ୍ ଦେବା ପାଇଁ ଚଳିତମାସ ୨୮ତାରିଖରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ। ଯେଉଁମାନଙ୍କର ବୟସ ୨୦୨୧ ମସିହା ଜାନୁୟାରୀ ୧ତାରିଖ ସୁଦ୍ଧା ୧୮ବର୍ଷ ବୟସ ହୋଇଥିବ ସେମାନେ ନୂଆ ଭୋଟର ତାଲିକାରେ ନିଜର ନାମ ପଞ୍ଜିକରଣ କରିପାରିବେ । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଏନେଇ ସୂଚନା ମିଳିଛି।

ସୂଚନା ମୁତାବିକ , ରାଜ୍ୟର ସମସ୍ତ ଭୋଟଗ୍ରହଣ କେନ୍ଦ୍ର, ଜିଲ୍ଲା ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କ ଅଫିସ, ସମସ୍ତ ତହସିଲ ଓ ବ୍ଲକ କାର୍ଯ୍ୟାଳୟରେ ନଭେମ୍ବର ୧୬ତାରିଖରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଆଜି ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ନୂତନ ଭୋଟମାନଙ୍କୁ ତାଲିକାରେ ସାମିଲ ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି ନିମନ୍ତେ ସେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୋଟର ତାଲିକା ସଂଶୋଧନ ନିମନ୍ତେ ନଭେମ୍ବର ୨୮ ଓ ୨୯ତାରିଖ ଏବଂ ଡିସେମ୍ବର ୫ ଓ ୬ତାରିଖରେ ସମସ୍ତ ଭୋଟଗ୍ରହଣ କେନ୍ଦ୍ରରେ ବୁଥ ସ୍ତରୀୟ ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ କରିବେ। ଯେଉଁମାନେ ୧୮ବର୍ଷ ବୟସର ହୋଇଥିବାବେଳେ ସେମାନେ ବୁଥସ୍ତରୀୟ ଅଧିକାରୀଙ୍କଠୁ ଫର୍ମ-୬ ଆଣି ଆବେଦନ କରିପାରିବେ। ଏହାସହିତ ଡ୍ରାଫ୍ଟ ଭୋଟର ତାଲିକା କିମ୍ବା ଭୋଟର ପରିଚୟ ପତ୍ରରେ କୌଣସି ପ୍ରକାରର ତ୍ରୁଟି ଥିଲେ ଫର୍ମ-୮ ଏବଂ ଭୋଟର ତାଲିକାରୁ ନାଁ ବାଦ୍ ଦେବା ପାଇଁ ଫର୍ମ-୭ ମାଧ୍ୟମରେ ଆବେଦନ କରିପାରିବେ ବୋଲି ପରାମର୍ଶ ଦିଆଯାଇଛି।

ସେହିପରି ସଂଶୋଧନ କାର୍ଯ୍ୟକ୍ରମ ପରେ ଜାନୁୟାରୀ ୫ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ତା’ର ସମାଧାନ କରାଯିବ। ଏହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଚାଲିଥିବାବେଳେ ସେଥିରେ ନିୟୋଜିତ କର୍ମଚାରୀମାନଙ୍କର ବଦଳି କରାଯାଇ ପାରିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ନିର୍ଦ୍ଦେଶ ଦେଇଛନ୍ତି।ଭୋଟର ତାଲିକା ସଂଶୋଧନ ପାଇଁ ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ କିମ୍ବା ଭୋଟର ହେଲପଲାଇନକୁ ଲଗଇନ୍ କରି ନିଜର ନାଁ ଯାଂଚ ସହ ଫର୍ମ ଡାଉନଲୋଡ୍ କରି ଜିଲ୍ଲା ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କୁ ଆବେଦନ କରାଯାଇ ପାରିବ।୨୦୨୧ ମସିହା ଜାନୁୟାରୀ ୫ତାରିଖରେ ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇବ।