୨୦୦୦-୨୦୧୦: ବିଜେପି ସମର୍ଥନରେ ତିନିଥର ମୁଖ୍ୟମନ୍ତ୍ରୀ

ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସମର୍ଥନରେ ….

ପାଟଣା : ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସମର୍ଥନରେ ନୀତୀଶ ୨୦୦୦ ମାର୍ଚ୍ଚ ୩ ତାରିଖରେ ପ୍ରଥମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେଲେ । ମାତ୍ର ବହୁମତ ହାସଲ କରି ନପାରି ମାତ୍ର ୭ ଦିନ ପରେ ଅର୍ଥାତ୍‌ ମାର୍ଚ୍ଚ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ସେତେବେଳେ ଏନ୍‌ଡିଏ ୧୫୧ ଓ ଲାଲୁ ଯାଦବଙ୍କ ଆରଜେଡି ୧୫୯ ଆସନରେ ଜିତିଥିଲେ । ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ଥିଲା ୧୬୩ । ୨୦୦୩ରେ ନୀତୀଶ କୁମାରଙ୍କ ସମତା ପାର୍ଟି ଶରଦ ଯାଦବଙ୍କ ଜନତା ଦଳରେ ମିଶିଗଲା । ତେବେ ନୀତୀଶ ବିଜେପି ସହିତ ମେଂଟ ଧର୍ମ ପାଳନ କରୁଥିଲେ । ସମତା ପାର୍ଟି ଓ ଜନତା ଦଳ ମିଶି ଜନତା ଦଳ ୟୁନାଇଟେଡ୍‌ ଗଠିତ ହେଲା । ଉକ୍ତ ପାର୍ଟିର ମୁଖିଆ ହେଲେ ନୀତୀଶ କୁମାର ।

୨୦୦୫ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସହ ମିଶି ଜେଡିୟୁ ମଇଦାନକୁ ଓହ୍ଲାଇଥିଲା । ସଂଖ୍ୟାଗରିଷ୍ଠ ଆସନ ଲାଭ କରି ନୀତୀଶ କୁମାର ୨୦୦୫ ନଭେମ୍ବର ୨୪ ତାରିଖରେ ଦ୍ୱିତୀୟ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେଲେ । ଦ୍ୱିତୀୟ ପାଳି ମୁଖ୍ୟମନ୍ତ୍ରୀ ହେବାପରେ ନୀତୀଶ ୫ ବର୍ଷ କାଳ ଶାସନ କଲେ । ୨୦୧୦ରେ ନୀତୀଶ ଏନ୍‌ଡିଏ ସହ ମିଶି ବିଧାନସଭା ନିର୍ବାଚନ ଲଢ଼ିଥିଲେ । ବହୁମତ ହାସଲ କରି ୨୦୧୦ ନଭେମ୍ବର ୨୬ ତାରିଖରେ ତୃତୀୟ ବାର ବିହାର ମୁଖ୍ୟମନ୍ତ୍ରୀ ହେଲେ ।