ବିଜେଡିକୁ ଜାଣିଶୁଣି ଦୁର୍ବଳ କରି ଦିଆଯାଉଛି!

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପକ୍ଷରୁ ଯୋଉମାନଙ୍କୁ ଯୋଉଠାରୁ ଲଢ଼ିବାକୁ ନିଷ୍ପତି ନିଆଯାଉଛି; ସେଥିରୁ ଦଳକୁ ଜାଣିଶୁଣି ଦୁର୍ବଳ କରି ଦିଆଯାଉଥିବା ପ୍ରତୀୟମାନ ହେଉଛି ।

ଦୀର୍ଘଦିନ ଧରି ଦଳ ପାଇଁ କାମ କରୁଥିବା ନେତାଙ୍କୁ ଅଲୋଡ଼ା କରି ଦିଆଯାଉଛି । ଆମଦାନୀ ନେତାଙ୍କୁ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ିବାକୁ ସୁଯୋଗ ଦିଆଯାଉଛି ।

ଗୁରୁବାର ଚତୁର୍ଥ ପର୍ଯ୍ୟାୟରେ ଦଳ ପକ୍ଷରୁ ୯ଟି ବିଧାନସଭା ଆସନ ଓ ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ବାଲେଶ୍ୱର ଲୋକସଭା ଆସନରୁ ବିଜେପିରୁ ଆମଦାନୀ ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ମନୋନୀତ କରାଯାଇଛି ।

ଇଏ ହେଉଛନ୍ତି ସେଇ ଆଦର୍ଶ ବିହୀନ ଓ ବିବେକହୀନ ଲେଖାଶ୍ରୀ ଯିଏ ବିଜେପି ଦରବାରୁ ବିଜେଡିର ଯୋଉ ଜନସେବାକୁ ସମାଲୋଚନା କରୁଥିଲେ; ବିଜେପିରୁ ଇସ୍ତଫା ଦେଇ ବିଜେଡିର ସେଇ ଆଦର୍ଶକୁ ଆଶ୍ରା କରି ଭୋଟ ମାଗିବାକୁ ଉଚିତ ମଣିଛନ୍ତି । ଲେଖାଶ୍ରୀଙ୍କ ଜରିଆରେ ବିଜେଡି ଗଂଜେଇ ଚିଲମ ରାଜା ପ୍ରତାପଙ୍କୁ ଚାପୁଡାଟିଏ ମାରିଛି । ମାତ୍ର ବିଜେପି ବାଲେଶ୍ୱରକୁ ଦଖଲ କରି ନବୀନଙ୍କ ଚାପୁଡ଼ାର ଜବାବ ପଥରରେ ଦେବାକୁ ଅଂଟା ଭିଡିଛି ।

ସଂକ୍ଷେପରେ କହିଲେ, ବିଜେପି ହାତରୁ ବାଲେଶ୍ୱର ଓ ଭୁବନେଶ୍ୱର ଛଡ଼ାଇ ନେବାର ଦୃଢ଼ ମନୋବଳ ବିଜେଡି ପାଖରେ ନଥିବା ପ୍ରତୀୟମାନ ହୋଇଛି ।

ବିଧାନସଭା ଆସନରେ ବିଜେଡି କିଛି ବିଧାୟକଙ୍କୁ ପୁନର୍ବାର ଲଢ଼ିବାକୁ ସୁଯୋଗ ଦେଇଛି । ରୋହିତ ପୂଜାରୀଙ୍କୁ ରେଢ଼ାଖୋଲ, ବ୍ରଜକିଶୋର ପ୍ରଧାନଙ୍କୁ ତାଳଚେର, ଚକ୍ରମଣି କହଁରଙ୍କୁ ବାଲିଗୁଡ଼ା, ପ୍ରଭୁ ଜାନିଙ୍କୁ ଲକ୍ଷ୍ମୀପୁର ଓ ଅନନ୍ତ ଜେନାଙ୍କୁ ମଧ୍ୟ ଭୁବନେଶ୍ୱର ବିଧାନସଭା ଆସନରେ ପୁଣି ଥର ଲଢ଼ିବାକୁ ସୁଯୋଗ ଦେଇଛି ।

ନର୍ଲା ବିଧାୟକ ଭୂପିନ୍ଦର ସିଂ ଓ ପାରାଦୀପରୁ ସମ୍ବିତ ରାଉତରାୟଙ୍କୁ ଲଢ଼ିବାକୁ ସୁଯୋଗ ଦିଆଯାଇନି । ମାତ୍ର ପାରାଦୀପରେ ସମ୍ବିତଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କୁ ଟିକେଟ୍‌ ଦିଆଯାଇଛି । ମାତ୍ର ନର୍ଲାରେ ଭୂପିନ୍ଦରଙ୍କ ପରିବାର ଭିତରୁ କାହାକୁ ଟିକେଟ୍‌ ଦିଆଯାଇନି । ବରଂ ନର୍ଲା ବ୍ଲକ ଅଧ୍ୟକ୍ଷଙ୍କ ପତ୍ନୀ ମନୋରମା ମହାନ୍ତିଙ୍କୁ ମନୋନୀତ କରାଯାଇଛି । ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ ଓ ତେଲକୋଇରୁ ମାଧବ ସର୍ଦ୍ଦାରଙ୍କୁ ଲଢ଼ିବାକୁ ସୁଯୋଗ ଦିଆଯାଇଛି ।