‘ଆପଣମାନେ ଖୁସି ତ!’ ଶବ୍ଦବାଣକୁ ଡରୁଛି ବିଜେପି

ଜଣାପଡୁନି ମତିଗତି: ମୋଦି ନଆସିଲେ ସବୁ ଫେଲ୍‌

୧୭ରେ ଓଡିଆ ଆସିଥାନ୍ତେ କେନ୍ଦ୍ରନେତା ଅମିଶ ଶାହ । ଶାହଙ୍କ ଗସ୍ତର ଠିକ୍‌ ପରଦିନ ଘଟିଗଲା ବାହାନଗା ଟ୍ରେନ୍‌ ଟ୍ରାଜେଡି । ବିଜେପିର ଜନସଂପର୍କ ଯାତ୍ରାକୁ ଲୋକପ୍ରିୟ କରାଇଥାନ୍ତେ ଅମିତ ଶାହ । ରାଜ୍ୟ ବିଜେପି ନେତାଏ ବଡ଼ ଉକ୍ରଣ୍ଠାର ସହ ଅପେକ୍ଷା କରିଥିଲେ ମୋଦିଙ୍କ ଆଗମନକୁ । ହେଲେ ବିଧିର ବିଚିତ୍ର ବିଧାନ । ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଅମିତ ଶାହଙ୍କ ଗସ୍ତରେ ପ୍ରତିବନ୍ଧକ ସୃଷ୍ଟି କରିଦେଲା । ସାରା ଓଡିଶା ଟ୍ରେନ୍‌ ଦୁର୍ଘଟଣାକୁ ନେଇ ଚିନ୍ତିତ, ବ୍ୟଥିତ ଓ ମର୍ମାହତ ଥିଲାବେଳେ ବିଜେପିର ଜନସଂପର୍କ ଯାତ୍ରା କଟା ଘା’ରେ ଲୁଣଛିଟା ଭଳି ଲାଗିବ । ପରିସ୍ଥିତିକୁ ଭଲ ଭାବରେ ବିଚାର କରି ଶାହଙ୍କ ଗସ୍ତ ବାତିଲ କରାଗଲା ।

୨୩ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଆସିବେ ବୋଲି କୁହାଯାଉଛି । ମାତ୍ର ତା’ ମଧ୍ୟ ବାତିଲ ହେବାର ଆଶଙ୍କା କରାଯାଉଛି ।
ଶୁଣିବାକୁ ମିଳୁଛି, ସବୁକିଛି ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ଉପରେ ନିର୍ଭର କରାଯାଉଛି । ଗୁଜରାଟ ଓ ମହାରାଷ୍ଟ୍ର ସମେତ ପ୍ରାୟ ୧୦ଟି ରାଜ୍ୟରେ ‘ବିପର୍ଯ୍ୟୟ’ର ପ୍ରଭାବ ପଡ଼ିବ । ଏବେ ଗୁଜରାଟର କଚ୍ଛ ଓ ସୌରାଷ୍ଟ୍ର ଅଂଚଳରେ ବର୍ଷା ଓ ପବନ ଜୋରଦାର ହୋଇଛି । ଜଖୌ ବନ୍ଦର ନିକଟରେ ସାମୁଦ୍ରିକ ଝଡ଼ ଉପକୂଳକୁ ସ୍ପର୍ଶ କରିବ । ଘଂଟାକୁ ୧୩୫ କିଲୋମିଟର ବେଗରେ ପବନ ବହିବ । ବିପର୍ଯ୍ୟୟର ପରିମାଣକୁ ଦେଖି ବିଜେପିର ରାଜନୀତି ପାଣିପାଗ ବଦଳିବ । ବିଶେଷ କରି କର୍ଣ୍ଣାଟକରେ ବିଜେପିର ପରାଜୟ କେନ୍ଦ୍ର ନେତାମାନଙ୍କୁ ଚିନ୍ତାରେ ପକାଇଛି । ଚଳିତ ବର୍ଷ ଆହୁରି କେତୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସେଥିରେ ଜିତାପଟ ହାସଲ କରିବା ପାଇଁ ବିଜେପିକୁ କଡ଼ା କସରତ କରିବାକୁ ପଡ଼ିବ ।

ୟା’ ଭିତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ରେକର୍ଡ ସଂଖ୍ୟକ ୧୨୩ ଆସନକୁ ପଛରେ ପକାଇବା ପାଇଁ ଆଗୁଆ ବିଧାନସଭା ନିର୍ବାଚନ କରିବାର ଯୋଜନା ଚଳାଇଛନ୍ତି । ବୟସ ଦୃଷ୍ଟିରୁ ନିଜେ ରାଜ୍ୟର ବିଭିନ୍ନ ଅଂଚଳକୁ ଯାଉ ନଥିଲେ ମଧ୍ୟ ବିଶ୍ୱସ୍ତ ସଚିବ ପାଣ୍ଡିଆନଙ୍କୁ ପଠାଇ ପ୍ରକଳ୍ପ କାମ ତ୍ୱରାନ୍ୱିତ କରୁଛନ୍ତି । ନବୀନଙ୍କୁ ପରାଜିତ କରିବା ପାଇଁ ରାଜ୍ୟ ବିଜେପିରେ ସେଭଳି ଦାମିକା ଚେହେରା ଦିଶୁନାହାନ୍ତି ।

ଅପରାଜିତା ଷଡ଼ଙ୍ଗୀ, ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀଙ୍କ ସମେତ ପୁଳାପୁଳା ନେତା ଥିଲେ କ’ଣ ହେବ? ଏମାନଙ୍କ ଭିତରୁ କାହାରି ନିକଟରେ ନବୀନଙ୍କୁ ପରାଜିତ କରିବା ଭଳି ଶକ୍ତି ନାହିଁ ।

ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟ ଡାଇଲଗ ‘ଆପଣମାନେ ଖୁସି ତ!’ ନିକଟରେ ଜଣେ ବି ବିଜେପି ନେତା ଠିଆ ହୋଇପାରିବେନି ବୋଲି ଅଧିକାଂଶ ଜନତା କୁହାକୁହି ହେଉଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ କଥା । ନବୀନଙ୍କ ପୂର୍ବରୁ ଯୋଉମାନେ ମୁଖ୍ୟମନ୍ତ୍ରୀ ହୋଇ ଶାସନ କରୁଥିଲେ । ସମସ୍ତେ ୧୦୦ ଟଙ୍କା ଖାଇ ଯାଉଥିଲେ । ଜନତାଙ୍କ ଭାଗରେ ଟଙ୍କାଟିଏ ପଡୁ ନଥିଲା । ମାତ୍ର ନବୀନ ପଟ୍ଟନାୟକ ୧୦୦ ଟଙ୍କା ଖାଉଛନ୍ତି, ଜନତାଙ୍କ ହାତକୁ ଦୁଇଟଙ୍କା ଦଉଛନ୍ତି । ସେତିକି ଆମ ପାଇଁ ଯଥେଷ୍ଟ ।