ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ନବୀନ ପଟ୍ଟନାୟକଙ୍କୁ ଲାଜ ନାହିଁ, ଶିକ୍ଷୟିତ୍ରୀଙ୍କୁ ସରମ ନାହିଁ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶିକ୍ଷା ନୀତି ଭିତରେ ଫାଇଭ୍‌-ଟି ଶିକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଉଛି । ଶିକ୍ଷା ବିଭାଗ ଅଧିନରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକର ଦୂରବସ୍ଥା ସମସ୍ତଙ୍କୁ ଜଣା ଅଛି । କୋଉଠି ବିଦ୍ୟାଳୟ କୋଠା ନାହିଁ ତ କୋଉଠି ଶିକ୍ଷକ ନାହାନ୍ତି । କୋଉଠି ଛାତ୍ରଛାତ୍ରୀଙ୍କ ସଂଖ୍ୟା ନଗଣ୍ୟ ତ କୋଉଠି ଠିକା ଶିକ୍ଷକଙ୍କ ଦୟନୀୟ ସ୍ଥିତି । ଏମିତି ନାନା ଅବ୍ୟବସ୍ଥା ଭିତରେ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ରହିଥିଲା ବେଳେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସାଧାରଣ ଲୋକଙ୍କୁ ହଜମ ହେଉନି ।

ଠିକା ଶିକ୍ଷକ ଶିକ୍ଷୟିତ୍ରୀମାନେ ମାସିକ ପାରିଶ୍ରମିକ ବାବଦକୁ ଯେତିକି ଦରମା ପାଉଛନ୍ତି । ସ୍ଥାୟୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ତା’ଠାରୁ ଢେ଼ର ଅଧିକ ଦରମା ପାଉଛନ୍ତି । ମାତ୍ର ପିଲାଙ୍କ ପରୀକ୍ଷା ଫଳାଫଳକୁ ଅନୁଧ୍ୟାନ କଲେ ସ୍ଥାୟୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତୁଳନାରେ ଠିକା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିକଟରେ ପାଠ ପଢୁଥିବା ପିଲାମାନେ ଅଧିକ ନମ୍ବର ରଖୁଛନ୍ତି । ଯୋଉ ଠିକା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଠ ପଢ଼ାଇବା ଶୈଳୀ ଉନ୍ନତ; ସେମାନଙ୍କ ଚାକିରିକୁ ସ୍ଥାୟୀ କରୁନାହାନ୍ତି ସରକାର । ଅଧିକାଂଶ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଠିକା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ ଛାତ୍ରଛାତ୍ରୀମାନେ ନିର୍ଭରଶୀଳ ।

ଠିକା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପେଟକୁ ଉପଯୁକ୍ତ ଦାନା, ଶରୀରକୁ ପୋଷାକ, ମୁଣ୍ଡ ଉପରେ ଛାତ ଯୋଗାଇବାର ସ୍ଥାୟୀ ବନ୍ଦୋବସ୍ତ ନକରି ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଘୋଷଣା ଏକ ଲୋକହସା ପଦକ୍ଷେପ ବୋଲି ରାଜ୍ୟ ପଛୁଆ ବର୍ଗ ସାମ୍ମୁଖ୍ୟ ମତବ୍ୟକ୍ତ କରିଛି ।

ନିର୍ବାଚନ ସମୟରେ ଲୋକଙ୍କ ନିକଟକୁ ଯିବା ପାଇଁ ଏଭଳି ଭେଳିକି ଚାଲିଥିବା କହିଛନ୍ତି ରାଜ୍ୟ ପଛୁଆ ବର୍ଗ ନେତା ସୀତାରାମ ବେହେରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ଶିକ୍ଷା ବ୍ୟବସ୍ଥାର ଘରୋଇକରଣକୁ ଅଗ୍ରାଧିକାର ଦିଆଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ, ବିଜୁଳି ସେବା ଭଳି ଜନକଲ୍ୟାଣମୂଳକ କ୍ଷେତ୍ରକୁ ଘରୋଇ ସଂସ୍ଥା ହାତକୁ ଟେକି ଦେଇ କ୍ଷମତାସୀନ ଦଳ ଲୋକଙ୍କ ରକ୍ତମାଂସ ହାଡ଼କୁ ଝୁଣୁଛନ୍ତି ।

ଲୋକମାନେ ଯାହା ରୋଜଗାର କରୁଛନ୍ତି, ତା’ର ଅଧିକ ଭାଗ ଶିକ୍ଷା ଓ ସ୍ୱାସ୍ଥ୍ୟକ୍ଷେତ୍ରକୁ ଦେଉଛନ୍ତି । ଶିକ୍ଷକ ନଥାଇ ଶିକ୍ଷା ପୁରସ୍କାର, ଡାକ୍ତର ନଥାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପ୍ରଚଳନ ବାସ୍ତବରେ ଗରିବଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଭାତ ନମିଳିଲେ ପଲାଉ ଖାଅ’ ଚାପୁଡ଼ା ।