ବିଜେଡିରେ ନିରନ୍ତର ଅବହେଳା; ଦଳ ଛାଡିଲେ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ୱର: ବିଜେଡି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର।। ଦଳରେ ନିରନ୍ତର ଅବହେଳା ଅଭିଯୋଗ କରି, ସେ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି।

ବିଜେଡିରୁ ଇସ୍ତଫା ଦେବା ପରେ ପ୍ରିୟଦର୍ଶୀ ମିଶ୍ର ଗଣମାଧ୍ୟମରେ କହିଛନ୍ତି, ମୁଁ ଛାତ୍ରାବସ୍ଥାରୁ ବିଜୁ ବାବୁଙ୍କ ସହିତ କାମ କରିଛି। ୩୦ ବର୍ଷରୁ ଅଧିକ ସମୟ ଧରି ମୁଁ ନିଷ୍ଠାର ସହିତ ଏହି ଦଳ ପାଇଁ କାମ କରିଛି। କିନ୍ତୁ ଦଳ ମୋତେ କ୍ରମାଗତ ଭାବେ ଅବହେଳା କରିଛି। ତା’ର ପ୍ରତିବାଦରେ ମୁଁ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି।

ପ୍ରିୟଦର୍ଶୀ ମିଶ୍ର। ୨୦୧୪ରେ ଉତ୍ତର ଭୁବନେଶ୍ୱର ଆସନରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ୱାଇଁ ହେଉଛନ୍ତି ପ୍ରିୟଦର୍ଶୀ ମିଶ୍ର।

ପ୍ରିୟଦର୍ଶୀ କହିଛନ୍ତି, ଦଳ ଲଗାତାର ମୋତେ ଅଣଦେଖା କରିଛି। ଦଳ ମୋତେ ଲଗାତାର ଧୋକା ଦେଇ ଚାଲିଛି। ୨୦୧୯ରେ ମୋତେ ଟିକେଟ ଦିଆଯାଇ ନଥିଲା। ମୋତେ ଦଳ ପାଇଁ କାମ କରିବାକୁ କୁହାଯାଇଥିଲା। ମୋତେ ହାଉସିଂ ବୋର୍ଡ କର୍ପୋରେସନ ଦାୟିତ୍ୱ ଦିଆଯାଇଥିଲା। ଅଧାରୁ ମୋତେ ସେ ଦାୟିତ୍ୱ ଛାଡ଼ିଦେବାକୁ କୁହାଯାଇଥିଲା। ପାର୍ଟି ପାଇଁ କାମ କରିବାକୁ କୁହାଯାଇଥିଲା। କିନ୍ତୁ ପରେ ଯେମିତି ଦାୟିତ୍ୱ ଦିଆଯିବା କଥା ତାହା ଦିଆଯାଇ ନଥିଲା। ଯେତେବେଳେ ଦେଖିଲି ମୁଁ ଦଳ ପାଇଁ ଅଲୋଡ଼ା ହୋଇଯାଉଛି, ତେଣୁ ବାଧ୍ୟ ହେଲି ଇସ୍ତଫା ଦେବାକୁ। ସେହିପରି ଦଳ ମୋତେ ପୁଣି ଥରେ ଧୋକା ଦେବ ବୋଲି ମୋର ହୃଦ୍‌ବୋଧ ହୋଇଥିଲା। ତେଣୁ ତା’ ପୂର୍ବରୁ ଦଳରୁ ବାହାରିଯିବାକୁ ଉଚିତ୍ ମଣିଲି।

ସୂଚନା ଯୋଗ୍ୟ, ପ୍ରିୟଦର୍ଶୀ କେଉଁ ଦଳରେ ଯୋଗ ଦେବେ ତାହା କହି ନାହାନ୍ତି। ତାଙ୍କ ସମର୍ଥକ, ସହଯୋଗୀ ଓ ଶୁଭେଚ୍ଛୁଙ୍କ ପରାମର୍ଶରେ ସେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି। ସେମାନେ ଯାହା ନିଷ୍ପତ୍ତି ନେବେ ସେ ତାକୁ ଗ୍ରହଣ କରିବେ ବୋଲି କହିଛନ୍ତି। ପ୍ରିୟଦର୍ଶୀ କହିଛନ୍ତି, ୨୦୨୪ ନିର୍ବାଚନ ଲଢ଼ିବି ନିଶ୍ଚୟ। ଆଗରୁ ଏ କଥା କହିଥିଲି। ଏବେ ବି କହୁଛି ।