ବିଜେପି ପାଇଁ ଧର୍ମେନ୍ଦ୍ର ଅଭିଶାପ

ଧର୍ମେନ୍ଦ୍ରଙ୍କ ପାଇଁ ବିଜେପି ଆଶୀର୍ବାଦ..

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ‘ଓଡ଼ିଶାକୁ ଶାସନ କରିବାକୁ ହେଲେ ବିଜେପିକୁ ଧର୍ମେନ୍ଦ୍ର ପ୍ରୀତି ଛାଡ଼ିବାକୁ ହେବ । ଧର୍ମେନ୍ଦ୍ରଙ୍କୁ ଆଗରେ ଠିଆ କରୁଥିବା ପର୍ଯ୍ୟନ୍ତ ବିଜେପି କେବେ ସାଢେ଼ ଚାରିକୋଟି ଜନତାଙ୍କର ଆଶା ଭରସାକୁ ଜିତି ପାରିବନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଲାଞ୍ଜ ଧରି ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଛନ୍ତି । ତାଙ୍କର ସେ ଆଶା ଆଉ ପୂରଣ ହେବାର ସମ୍ଭାବନା ନାହିଁ । ଧର୍ମେନ୍ଦ୍ର ଏମିତି ଅନ୍ୟ ରାଜ୍ୟକୁ ପ୍ରତିନିଧିତ୍ୱ କରିକରି ରାଜନୀତିରୁ ସନ୍ନ୍ୟାସ ନେବେ । ଆଉ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇବେନି।’

୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ରଣନୀତି ସଂପର୍କରେ ଗଣମାଧ୍ୟମରେ ପ୍ରକାଶିତ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା ପଢ଼ିବା ପରେ ରାଷ୍ଟ୍ରୀୟ ପରିବର୍ତନ ଦଳ ମୁଖପାତ୍ର ସୀତାରାମ ବେହେରା ଏପରି ମତାମତ ପ୍ରଦାନ କରିଛନ୍ତି । ସୀତାରାମ କହିଛନ୍ତି, ନବୀନ ପଟ୍ଟନାୟକ ବଂଚିଥିବା ପର୍ଯ୍ୟନ୍ତ ଧର୍ମେନ୍ଦ୍ର ପ୍ରଧାନ ଏମିତି ଓଡ଼ିଶା ବାହାରେ ବାଏଁ ବାଏଁ ବୁଲୁଥିବେ । ଦିନେ ଅଧେ ଓଡ଼ିଶାକୁ ଆସୁଥିବେ । ଚା’ କଫି ପିଇ ଦିଲ୍ଲୀ ଚାଲି ଯାଉଥିବେ । ମୋଦୀଙ୍କ ଅମଳରେ ମୁଖ୍ୟମନ୍ତ୍ରୀ ହୋଇ ନପାରିଲେ, ଧର୍ମେନ୍ଦ୍ରଙ୍କ ଆଉ ଜୀବଦଶାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ପାରିବେନି।

ବାପା ଦେବେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦ ବଳରେ ଧର୍ମେନ୍ଦ୍ର ବିଜେପିର କେନ୍ଦ୍ରୀୟ ନେତୃବର୍ଗଙ୍କ ନିକଟତର ହୋଇପାରିଛନ୍ତି । ତା’ଠାରୁ ଆଉ ଅଧିକ କିଛି ତାଙ୍କଠାରୁ ଆଶା କରିବା ବୃଥା । ଧର୍ମେନ୍ଦ୍ର କେବେ କୌଣସି ଗରିବକୁ ସାହାଯ୍ୟ କରିବାର କେହି ଦେଖିନାହାନ୍ତି । ସବୁବେଳେ ଉପରମୁହାଁ ରାଜନୀତି କରିଛନ୍ତି । ବ୍ୟବସାୟୀ, ଶିଳ୍ପପତିଙ୍କ ନିକଟରେ ବସିଛନ୍ତି । ମଳିମୁଣ୍ଡିଆଙ୍କ ଛାଇ ପଡ଼ିଲେ ଧର୍ମେନ୍ଦ୍ରଙ୍କ ପାଟିରୁ ଗାଳି ବର୍ଷା ହୁଏ।

ରାଜନୀତିରେ ପ୍ରବେଶ କରିବା ପରଠାରୁ ଏ ଯାବତ୍‌ ଧର୍ମେନ୍ଦ୍ର କେବଳ ତାଙ୍କରି ପରିବାର, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ କଥା ଚିନ୍ତା କରୁଛନ୍ତି । ତାଙ୍କଠାରୁ ରାଜ୍ୟର ଗରିବ, ମହିଳା, ଜନଜାତି ଓ ଯୁବବର୍ଗ କିଛି ଆଶା କରିବା ବୃଥା । ବିଜେପି କେବେ ରାଜ୍ୟର ସାଢେ଼ ଚାରିକୋଟି ଜନତାଙ୍କର ପ୍ରିୟଭାଜନ ହୋଇପାରିବନି । ବିଜେପି ୫୦ ଟଙ୍କାର ପେଟ୍ରୋଲ ଲିଟରକୁ ୧୦୪ ଟଙ୍କାର ବିକିପାରିବ । ବିଜେପି ଗରିବ ଲୋକଙ୍କ ଝାଳବୁହା ଧନକୁ ଲୁଟିବା ପାଇଁ ବ୍ୟାଙ୍କକୁ ଅନୁମତି ଦେଇପାରିବ । ସ୍ୱଦେଶୀ ଆନ୍ଦୋଳନର ବାହାନା କରି ଇଣ୍ଡୋନେସିଆ ଛତୁ ଖାଇପାରିବ।