ଓଡ଼ିଶାର ହକି ପିତାମହ ପିଟର ତିର୍କୀ

କେବେ ହକି ପଡ଼ିଆ ଦେଖି ନଥିବା ପିଟର ଗାଁ ଦାଣ୍ଡରେ ଓ ବିଲରେ ହକି..

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ୧୯୬୨ ମସିହାରେ ସୁନ୍ଦରଗଡ଼ ଜିଲ୍ଲାର ରସରାଜପୁରରେ ଜନ୍ମଗ୍ରହଣ କରିଥିଲେ ପିଟର । ତାଙ୍କର ବାପାଙ୍କ ନାମ ସିଲଭେରିୟସ୍‌ ତିର୍କୀ ଓ ମା’ଙ୍କ ନାମ କାଟ୍ରିନା ତିର୍କୀ । ପିଟରଙ୍କର ୫ ଭାଇ ଓ ୩ ଭଉଣୀ ଅଛନ୍ତି । କେବେ ହକି ପଡ଼ିଆ ଦେଖି ନଥିବା ପିଟର ଗାଁ ଦାଣ୍ଡରେ ଓ ବିଲରେ ହକି ଖେଳୁଥିଲେ।

ପିଲାଦିନରୁ ହକି ଷ୍ଟିକ୍‌ ଧରିବା ତାଙ୍କ ଭାଗ୍ୟରେ ନଥିଲା । କେନ୍ଦୁ କାଠରେ ହକି ଷ୍ଟିକ୍‌ ତିଆରି କରିଥିଲେ । ବାଉଁଶ ଓ ମହୁଲ ଗଛ ଗଣ୍ଠିକୁ ବଲ ଭାବେ ବ୍ୟବହାର କରୁଥିଲେ । ଗାଁ ସ୍କୁଲରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ରାଜଗାଙ୍ଗପୁର ନିକଟ କେସ୍ରାମାଲ ମିଶନ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଲେ । ତାଙ୍କର ହକି ଜୀବନ କେସ୍ରାମାଲରୁ ଆରମ୍ଭ ହୋଇଥିଲା ଅର୍ଥାତ୍‌ ଗାଁରେ ବିନା ଗୁରୁରେ ସେ ହକି ଖେଳୁଥିଲେ । କେସ୍ରାମାଲରେ ହକି ଗୁରୁ ମିଳିଗଲେ । ଗୁରୁଙ୍କ ସାନ୍ନିଧ୍ୟ ପାଇ ପିଟର ହକିବଲକୁ ନିଜ ଇଛାରେ ଚଲାଇବାର କଳା ଶିଖିଗଲେ।

ପ୍ରଥମେ ଆନ୍ତଃ ଉଚ୍ଚ ବିଦ୍ୟାଳୟ ପ୍ରତିଯୋଗିତାରେ ନିଜ ସ୍କୁଲକୁ ପ୍ରତିନିଧିତ୍ୱ କରିଥିଲେ । ତା’ପରେ ଓଡ଼ିଶା ଉପକନିଷ୍ଠ ଦଳକୁ ପ୍ରତିନିଧିତ୍ୱ କରିବାର ସୁଯୋଗ, ୧୯୭୮/୭୯ରେ ସ୍କୁଲସ୍ତରରେ ନ୍ୟାସନାଲ, ୧୯୮୦ରେ ଓଡ଼ିଶା କନିଷ୍ଠ ଦଳ, ୧୯୮୧ରେ ରାଜ୍ୟ ବରିଷ୍ଠ ଦଳରେ ସାମିଲ ହୋଇ ଏକାଧିକ ଜାତୀୟ ଟୁର୍ଣ୍ଣାମେଂଟ ଖେଳିବାର ସୁଯୋଗ ପାଇଥିଲେ । ୧୯୮୦ରେ ସେ ଏଲ୍‌ଆଣ୍ଡ୍‌ଟି କମ୍ପାନୀରେ କନିଷ୍ଠ କ୍ରୀଡ଼ାଧିକାରୀ ଭାବେ ଚାକିରି ଜୀବନ ଆରମ୍ଭ କଲେ । ୧୯୮୮ରେ ରାଉରକେଲା ଇସ୍ପାତ୍‌ କାରଖାନାରେ ଚାକିରି କଲେ । ୧୯୯୨ରେ ରାଉରକେଲାରେ ସେଲ୍‌ ହକି ଏକାଡେମୀ ପ୍ରତିଷ୍ଠା କରାଗଲା । ପିଟର ତିର୍କୀ ସେହିଠାରେ ପିଲାଙ୍କୁ ପ୍ରଶିକ୍ଷଣ ପ୍ରଦାନ କଲେ । ତାଙ୍କ ପ୍ରଚେଷ୍ଟାର ଫଳ ସ୍ୱରୂପ ଆଜି ବିଶ୍ୱ ହକି ଦୁନିଆରେ ଓଡ଼ିଶା ନିଜକୁ ପ୍ରତିଷ୍ଠା କରିପାରିଛି।

ପିଟରଙ୍କ ଦକ୍ଷତାର ପରିଚୟ ହେଉଛି ସେଲ ଏକାଡେମୀରୁ ୧୧ ଜଣ ଆନ୍ତର୍ଜାତିକ ହକି ଖେଳାଳି ସୃଷ୍ଟି । ଡିସେମ୍ବର ୩୧ ତାରିଖରେ ପିଟର ଚାକିରିରୁ ଅବସର ନେଇଛନ୍ତି ମାତ୍ର ପ୍ରତିଭା ଅନ୍ୱେଷଣରୁ କ୍ଷାନ୍ତ ହୋଇନାହାନ୍ତି।
ଆଜି ବି ଗାଁ ଦାଣ୍ଡରେ ପିଲାଟିଏ ବାଉଁଶ ଠେଙ୍ଗାଟିଏ ଧରି ଆତକୁ ଗଡ଼ାଇ ଗଡ଼ାଇ ଖେଳୁଥିଲେ, ପିଟରଙ୍କ ମୁହଁରୁ ବାହାରି ଆସେ, ଆଏ ହକି ଖେଳ୍‌ ବା।