ରାଷ୍ଟ୍ରପତି ପଦବୀକୁ ନର୍କ ସହ ତୁଳନା କଲେ ଦ୍ରୌପଦୀ ମୁର୍ମୁ

ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ମୁହଁରେ “ମୋ ଜୀବନ ପଛେ ନର୍କେ ପଡିଥାଉ…

ଭୁବନେଶ୍ୱର: ‘ଦ୍ରୌପଦୀ ମୁର୍ମୁଙ୍କ ପରିବର୍ତ୍ତେ ଜଣେ ଛେଳି ଚରାଉଥିବା ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଆସନରେ ବସାଇଥିଲେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଲୋକପ୍ରିୟତା ଢେର ଗୁଣରେ ବୃଦ୍ଧି ପାଇଥାନ୍ତା i କିନ୍ତୁ ସକ୍ରିୟ ରାଜନୀତିରେ ଥାଇ ନିଜ ଗ୍ରାମକୁ ବିଦ୍ୟୁତ ସଂଯୋଗ କରି ପାରୁ ନ ଥିବା ରାଜନେତ୍ରୀଙ୍କୁ ରାଜ୍ୟପାଳ ଆସନରେ ବସାଇ ସାରିବା ପରେ ପୁଣି ରାଷ୍ଟ୍ରପତି ପଦରେ ବସାଇବା ଯଥାର୍ଥ ହୋଇନି । ଦ୍ରୌପଦୀ ମୁର୍ମୁଂକୁ ରାଷ୍ଟ୍ରପତି କରି ପ୍ରଧାନମନ୍ତ୍ରୀ ମୋଦିଜୀ ଯେଉଁ ଆଦିବାସୀ କାର୍ଡ ଖେଳିଛନ୍ତି ତାହା ବିଜେପି ପାଇଁ ଲାଭଜନକ ରହିବ ବୋଲି ମୁଁ ଭାବୁନାହିଁ i ‘ ଏଭଳି ମନ୍ତବ୍ୟ ଦେଇଛନ୍ତି ଓଡିଶା ପଛୁଆ ବର୍ଗ ନେତା ସୀତାରାମ ବେହେରା।

ସେ କହିଛନ୍ତି, ଭାରତର ସମ୍ବିଧାନ ରାଷ୍ଟ୍ରପତିଙ୍କୁ ସର୍ବୋଚ୍ଚ କ୍ଷମତାଶାଳୀ କରିଛି ସତ; କିନ୍ତୁ ବାସ୍ତବ ସତ୍ୟ ହେଉଛି ପ୍ରଧାନମନ୍ତ୍ରୀଙ୍କ କୃପା ବିନା ରାଷ୍ଟ୍ରପତି ପଦବୀରେ କେହି ବସିପାରିବେ ନାହିଁ i ସମ୍ବିଧାନ ପ୍ରଣେତାମାନେ ଏପରି ଗୋଟିଏ ସମ୍ବିଧାନ ଆମ ହାତକୁ ଟେକି ଦେଇଛନ୍ତି, ଯାହା ପଢିବାକୁ ଭାରି ଭଲ ଲାଗେ, କିନ୍ତୁ ତାର ବାସ୍ତବ ଚେହେରା ସମ୍ପୂର୍ଣ ବିପରୀତ i ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ଛଳରେ ସନ୍ଥକବି ଭୀମ ଭୋଇଙ୍କ କବିତାରୁ ଧାଡ଼ିଏ ଉଦ୍ଧାର କରି କହିଥିଲେ, ‘ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ i

ମନେ ପଡ଼ିଯାଏ ଆଦିବାସୀ ମହିଳା ତୁଳସୀ ମୁଣ୍ଡାଙ୍କ କଥା । କୌଣସି ସାମ୍ବିଧାନିକ ପଦବୀ ମୋହରେ ନପଡ଼ି ତୁଳସୀ ମୁଣ୍ଡା ନିରବ ସାଧିକା ଭଳି ଆଦିବାସୀଙ୍କ ସେବାରେ ଏବେ ମଧ୍ୟ ନିୟୋଜିତ ଅଛନ୍ତି । ଏକଦା ଲୁହା ଖଣିରେ ଶିଶୁ ଶ୍ରମିକ ଭାବେ କାମ କରୁଥିବା ତୁଳସୀ ମୁଣ୍ଡା ପରିଣତ ବୟସରେ ପଦ୍ମଶ୍ରୀ ସମ୍ମାନ ପାଇଛନ୍ତି । ତାଙ୍କ ମୁହଁରେ “ମୋ ଜୀବନ ପଛେ ନର୍କେ ପଡିଥାଉ……..” ପ୍ରଯୁଜ୍ୟ । କିନ୍ତୁ ରାଷ୍ଟ୍ରପତି ପଦରେ ଅଭିଷିକ୍ତ ହେବା ପରେ ମୋ ଜୀବନ ପଛେ ନର୍କେ ପଡିଥାଉ କହି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତି । ରାଷ୍ଟ୍ରପତି ଦାୟିତ୍ୱଟା ଯଦି ନର୍କ ସମାନ? ତେବେ ପ୍ରତି ଭାରତୀୟଂକୁ ସେଭଳି ନର୍କବାସ ସୁଯୋଗ ମିଳିବା ଉଚିତ ।