ରାଜ୍ୟ ସରକାର ଆୟୁଷ ଡାକ୍ତରଙ୍କୁ ସାବତ ପୁଅ ଭଳି ବ୍ୟବହାର ନିନ୍ଦନୀୟ

ଆୟୁଷ ଡାକ୍ତର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ଦମନ କରିବାର ଉଦ୍ୟମ ନିନ୍ଦନୀୟ…

ଭୁବନେଶ୍ୱର, (ସାକ୍‌ସୀ ନିୟୁଜ୍) : ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ ଦୀର୍ଘ ୨୫ଦିନ ହେବ ସାରା ରାଜ୍ୟରେ ଆନ୍ଦୋଳନ କରୁଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି ମୁଖ୍ୟମନ୍ତ୍ରୀ କିମ୍ବା ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ଅଣଦେଖା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଜିକୁ ୨୧ବର୍ଷ ହେଲା ଆୟୁଷ ଡାକ୍ତରମାନଙ୍କ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ନପାଇଥିବା ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ପ୍ରତି ହେୟଜ୍ଞାନ ତଥା ଆୟୁଷ ଡାକ୍ତରମାନଙ୍କ ପ୍ରତି ବୈମାତୃକ ମନୋଭାବ ପଦାରେ ପଡିଛି ।

ଓଡ଼ିଶାରେ ହୋମିଓପ୍ୟାଥି, ଆୟୁର୍ବେଦ, ଯୋଗ, ୟୁନାନି, ସିଧ ଚିକିତ୍ସାରୁ ଓଡ଼ିଶାବାସୀ ବଂଚିତ ହେଉଛନ୍ତି । ଆଜି ଆନ୍ଦୋଳନରତ ଆୟୁଷ ଡାକ୍ତର ଛାତ୍ରଛାତ୍ରୀମାନଙ୍କୁ ଯେଉଁଭଳିଭାବେ ପୋଲିସ ଗିରଫ କରି ସେମାନଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଚେଷ୍ଟା କରୁଛି ତାହା ନିନ୍ଦନୀୟ ଓ ଅଗଣତାନ୍ତ୍ରିକ । ରାଜ୍ୟ ସରକାର ତୁରନ୍ତ ଆୟୁଷ ଡାକ୍ତରଙ୍କ ସମସ୍ତ ଦାବିକୁ ପୂରଣ କରିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି ।

ଯଶ୍ୱସୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଗତ ୯ବର୍ଷରେ ୮୧ରୁ ଊର୍ଦ୍ଧ୍ୱ ଆୟୁଷ୍ ଅନୁଷ୍ଠାନ ଖୋଲାଯାଇଛି । ଏଥି ସହ ଏଲୋପାଥି ଡାକ୍ତରଙ୍କ ସହ ଆୟୁଷ ଡାକ୍ତରଙ୍କ ଦରମାକୁ ସମାନ କରାଯାଇଛି । ପ୍ରତି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ୱାସ୍ଥ୍ୟ ଏବଂ ନିରାମୟ କେନ୍ଦ୍ରରେ ପରିଣତ କରାଯାଇ ଜଣେ ଜଣେ ଆୟୁଷ ଡାକ୍ତରଙ୍କ ନିଯୁକ୍ତି ବାଧ୍ୟତାମୂଳକ କରାଯାଇଛି । ତେବେ କେନ୍ଦ୍ର ସରକାରଙ୍କର ଏତେ ପଦକ୍ଷେପ ପରେ ମଧ୍ୟ ରାଜ୍ୟ ସରକାର ଆୟୁଷ ଚିକିତ୍ସା ଓ ଚିକିତ୍ସକମାନଙ୍କ ପ୍ରତି ଚରମ ଅବହେଳା ଦେଖାଇବା ନିନ୍ଦନୀୟ ।

ରାଜ୍ୟରେ ଶହ ଶହ ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଅଭାବରେ ଉଇ ହୂଙ୍କା ପାଲଟି ଯାଇଥିବାବେଳେ ଦୀର୍ଘ ୨୧ବର୍ଷ ଧରି ଉତୀର୍ଣ୍ଣ ହୋଇଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ନଦିଆଯିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ୨୪ବର୍ଷ ନବୀନ ଶାସନରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷକ, ଡାକ୍ତର ଇତ୍ୟାଦି ଅବହେଳିତ । ଦୀର୍ଘ ବର୍ଷ ଧରି ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ ଡାକ୍ତରୀ ଛାତ୍ରଛାତ୍ରୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ସମୟରେ ସେମାନଙ୍କ ଦାବୀ ପ୍ରତି କର୍ଣ୍ଣପାତ ନକରି ଆନ୍ଦୋଳନକୁ ଦମନ କରାଯିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ରାଜ୍ୟର ସାଢ଼େ ଚାରିକୋଟି ଜନସାଧାରଣଙ୍କ ପାଇଁ ୧୧୮୨ଟି ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର ଓ ୯ଟି ଆୟୁଷ ଚିକିତ୍ସାଳୟ କାର୍ଯ୍ୟ କରୁଛି । ୧୧୪ଟି ବ୍ଲକରେ କୌଣସି ଆୟୁର୍ବେଦ ସ୍ୱାସ୍ଥ୍ୟକେନ୍ଦ୍ର ଓ ୧୦୭ଟି ବ୍ଲକରେ ହୋମିଓପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ । ଓଡ଼ିଶାର ୪୦,୦୦୦ ଜନସାଧାରଣଙ୍କ ନିମନ୍ତେ ଜଣେ ଡାକ୍ତର ନିୟୋଜିତ । ମୋଦି ସରକାରଙ୍କ “ଆୟୁଷ୍ମାନ ଭାରତ” ଅନ୍ତର୍ଗତ “ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ର” ନିୟମ ଅନୁଯାୟୀ ପ୍ରତି ୫୦୦୦ ଜନସାଧାରଣଙ୍କ ପାଇଁ ଜଣେ ଡାକ୍ତର ରଖିବା କଥା ।

କିନ୍ତୁ ଦୁଃଖର ବିଷୟ ଯେ, ନବୀନ ସରକାର ସେଥିରେ ବିଫଳ । ଓଡ଼ିଶାରେ ୯ଟି ଚିିକିତ୍ସାଳୟରୁ ୭ଟି ଶିକ୍ଷାନୁଷ୍ଠାନ ସହ ସଂଲଗ୍ନ । ଏହି ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ, ଏକ୍ସରେ ରହିବା କଥା କିନ୍ତୁ ଗୋଟିଏ ଚିକିତ୍ସାଳୟରେ ବି ନାହିଁ, ଯାହା ରାଜ୍ୟ ସରକାରଙ୍କ ଉଦାସୀନତାର ଏକ ନଗ୍ନ ଚିତ୍ରକୁ ଦର୍ଶାଉଛି । ମୋଦି ସରକାର ଆୟୁଷ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ସେଥିରୁ ବିଚୁତି ରହୁଛନ୍ତି । ଯଥାଶୀଘ୍ର ୭ଟି ସରକାରୀ ଆୟୁଷ ମହାବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ଯନ୍ତ୍ରପାତି, ପୁସ୍ତକ ଯୋଗାଇ ଦେବାକୁ ଶ୍ରୀ ପଣ୍ଡା ଦାବି କରିଛନ୍ତି ।