ଅହଂକାରୀ ସରକାରକୁ ତଡ଼ିବାର ସମୟ ଆସିଛି

ଦେଶର ୧୩୦ କୋଟି ଜନତା ବୋକା ନୁହନ୍ତି..

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟପଦ ରଦ୍ଦକୁ ଦୁର୍ଭାଗ୍ୟଜନକ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।  ତାଙ୍କ ମତରେ ଦେଶରେ ଏବେ ଅହଂକାରୀଙ୍କ ଶାସନ ଚାଲିଛି । ଯିଏ ସରକାରଙ୍କ ବିରୋଧରେ ପାଟି ଫିଟାଇଲା; ତାକୁ ଜେଲ ଭିତରକୁ ପଠାଇବାର ସୁବନ୍ଦୋବସ୍ତ କରାଯାଉଛି । ୧୩୦ କୋଟି ଜନତାଙ୍କୁ ଡରାଇ ଧମକାଇ ଶାସନ କରିବାର ଉଦ୍ୟମ ସବୁଦିନ ରହିବ ନାହିଁ । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବିରୋଧୀ ଦଳଗୁଡ଼ିକୁ ଏଭଳି ଭୟ କରୁଛି ଯେ ସେମାନଙ୍କର ସାମାନ୍ୟ ତୁମ୍ବିତୋଫାନକୁ ବରଦାସ୍ତ କରିପାରୁନି ।

ଆମର ଦୁର୍ଭାଗ୍ୟ ଯେ ଆମେ ଜଣେ ଭୟାଳୁ ଲୋକକୁ ପ୍ରଧାନମନ୍ତ୍ରୀ ଭାବେ ପାଇଛୁ । ଆମେ ଜଣେ ଅଳ୍ପଶିକ୍ଷିତ ଲୋକକୁ ପ୍ରଧାନମନ୍ତ୍ରୀ ଭାବେ ପାଇଛୁ । ସ୍ୱାଧୀନ ଭାରତରେ ପ୍ରଥମ ଅସୁରକ୍ଷିତ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦୀ ଯେ ବିରୋଧୀ ଦଳକୁ ଅତିମାତ୍ରାରେ ଭୟ କରୁଛନ୍ତି । ରାହୁଲଙ୍କ ଲୋକସଭା ବାହାରକୁ ତଡ଼ିଦେଇ ବିଜେପି ନିଜକୁ ସୁରକ୍ଷିଣ ମଣୁଛି ।

ଦେଶର ୧୩୦ କୋଟି ଜନତା ବୋକା ନୁହନ୍ତି । ସେମାନେ ସବୁ ଜାଣିଛନ୍ତି । ଆଗାମୀ ଲୋକସଭା ନିର୍ବାଚନରେ ବିଜେପିର ଅହଂକାରକୁ ଉଚିତ ଶିକ୍ଷା ଦେବେ ଦେଶବାସୀ । ସେମାନେ ଏଭଳି ଭାବେ ଡରି ଯାଇଛନ୍ତି ଯେ ଯାହାକୁ ପାରୁଛନ୍ତି ତାକୁ ଗିରଫ କରି ଜେଲରେ ପୁରାଇ ଦେଉଛନ୍ତି ।

କେବଳ ସେତିକି ନୁହେଁ, ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକନମ୍ବର ଦୁର୍ନୀତିଗ୍ରସ୍ତ, ଅଳ୍ପଶିକ୍ଷିତ ଓ ବାଦଲଠାରୁ ଉଚ୍ଚ ଅହଂକାରୀ କହିଛନ୍ତି । ମୋଦୀଙ୍କ ଅହଂକାରର ସୀମା ନାହିଁ ।