ରାହୁଲଙ୍କ ପ୍ରତି ବିଜେପିର ଏତେ ପ୍ରେମ କାହିଁକି?

ବିରୋଧୀ ହେବ ତ ଏମିତି..

ନୂଆଦିଲ୍ଲୀ: ଭାରତ ଜୋଡୋ ଯାତ୍ରା’ ଜରିଆରେ ରାହୁଲ ଗାନ୍ଧୀ ସାରାଦେଶରେ ନିଜକୁ ବିଜେପିର ଏକମାତ୍ର ବିକଳ୍ପ ବୋଲି ଦେଖାଇବାକୁ ଚାହୁଁଥିଲେ ମାତ୍ର ପାରିଲେନି । ଦେଶର ବେରୋଜଗାର ଯୁବକ ଯୁବତୀଙ୍କୁ ଏକଜୁଟ କରି ବିଜେପି ବିରୋଧରେ ଠିଆ କରିବାର ଉଚିତ ମଉକାକୁ ହାତଛଡ଼ା କରିଦେଲେ ରାହୁଲ । ତାଙ୍କ ନିକଟରେ କୂଟନୈତିକ ବୁଦ୍ଧିର ଘୋର ଅଭାବ ଥିବାରୁ ଫାଇଦା ନେଇପାରିଲେନି । ରାହୁଲଙ୍କ ଭାରତ ଜୋଡୋ ଯାତ୍ରାକୁ ବିଜେପି ସୁଚିନ୍ତିତ ଉପାୟରେ ବିଫଳ କରିଦେଲା । ପରିଣାମ ଏମିତି ହେଲା, ରାହୁଲ ଏବେ ନା ଜନତାଙ୍କର ବିଶ୍ୱାସୀ ହୋଇପାରିଲେ ନା ଅଦାଲତର ।

ବିଜେପିର ରାହୁଲ ପ୍ରେମକୁ ଦେଖି ଦେଶବାସୀ ଚକିତ ହୋଇଯାଇଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ ଭାଷା, ବିରୋଧୀ ହେବ ତ ଏମିତି, ଗାନ୍ଧୀ-ନେହୁରୁ ପରିବାର ପ୍ରତି ମୋଦୀଙ୍କ ଦୃଷ୍ଟି ଯେମିତି ।

ରାଜନୀତିରେ କେହି କାହାର ଶତ୍ରୁ-ମିତ୍ର ନୁହନ୍ତି; ମାତ୍ର କ୍ଷମତା ପାଇଁ ସବୁକିଛି ଠିକ୍‌ । ସଂସଦ ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୁଣ୍ଢାଇବା ପରେ ରାହୁଲ ଗାନ୍ଧୀଙ୍କ ଆଖିଠାରକୁ ବିଜେପି ସହଜରେ ଗ୍ରହଣ କରିପାରିନି । ବିଦେଶକୁ ଯାଇ ରାହୁଲ ଗୌତମ ଆଦାନୀଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁପ୍ତ ସଂପର୍କକୁ ପଦାରେ ପକାଇ ବିଜେପିକୁ ଆହୁରି ରଗାଇ ଦେଇଛନ୍ତି । ସଂସଦ ଭିତରେ ରାହୁଲଙ୍କୁ କିଛି କହିବାକୁ ସୁଯୋଗ ଦିଆଯାଉନି । ସଂସଦ ବାହାରେ ରାହୁଲଙ୍କୁ ଦୋଷୀ ଭାବେ ସଜାଇ ଦିଆଯାଉଛି । ସତେ ଯେମିତି ଭାରତୀୟ ରାଜନୀତିରେ ରାହୁଲ ଏଭଳି ଖଳନାୟକ ଯାହାଙ୍କୁ ମାଟିରେ ମିଶାଇବା ଛଡ଼ା ବିଜେପି ପାଖରେ ଆଉ କିଛି କାମ ନାହିଁ ।

ଦେଶବାସୀ ଅନ୍ଧ କି କାଲା ନୁହନ୍ତି । ଆଦାନୀଙ୍କ ସଂପର୍କରେ ବିଜେପି ପାଟିରୁ ଉଁ କି ଚୁଁ ବାହାରୁନି । ଭାରତୀୟ ଅର୍ଥନୀତିକୁ ଭୂଅାଁ ବୁଲାଇ ଆଦାନୀ ତାଙ୍କର ପ୍ରତିପତି ବିସ୍ତାର କରିଥିଲେ । ଏ କଥା ଆଉ କାହାକୁ ଜଣାଥାଉ କି ନଥାଉ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଲ ଭାବେ ଜଣାଅଛି । କେବଳ ଆଦାନୀଙ୍କ କଳା କାରନାମାଠାରୁ ଦେଶବାସୀଙ୍କ ଦୃଷ୍ଟି ହଟାଇବା ପାଇଁ ବିଜେପି ରାହୁଲଙ୍କ ପଛରେ ପଡ଼ିଯାଇଛି ।