ପଦ୍ମପୁର: ପଳାୟନ ମୁଦ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଚାଷୀଙ୍କ ମତିଗତି ଉପରେ ଉପନିର୍ବାଚନ ପରିଣାମ

ଭୁବନେଶ୍ୱର: ପାଖେଇ ଆସୁଛି ପଦ୍ମପୁର ଉପନିର୍ବାଚନ । କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ମୂଲ୍ୟହୀନ ମନ୍ତବ୍ୟ ଶୁଣିବାକୁ କାହା ପାଖରେ ସମୟ ନାହିଁ । ଉପନିର୍ବାଚନରେ ବିଜେଡିକୁ ଅଡୁଆରେ ପକାଇବା ପାଇଁ ପଦ୍ମପୁର ଜନତା ଏକଜୁଟ ହୋଇଛନ୍ତି । ଓକିଲ, ଚାଷୀ ଓ ଜନତା ଏକାକାର ହୋଇ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ବିଷୟ ଉଠାଇଛନ୍ତି । ତା’ ସହିତ ଚାଷୀଙ୍କ ସ୍ୱାର୍ଥ ପ୍ରତି ଅଗ୍ରାଧିକାର ଦେବାକୁ କହିଛନ୍ତି । ଜନତାଙ୍କ ଦାବି ନିକଟରେ ବିଜେଡି ମୁଖିଆ ନରମି ଯାଇଛନ୍ତି । ନରମି ଯିବେନି କେମିତି? ଏଇଟା ପରା ଉପନିର୍ବାଚନ । ନିର୍ବାଚନ ସମୟରେ ନବୀନବାବୁ କ’ଣ ତାଙ୍କ ବାପା ବିଜୁ ପଟ୍ଟନାୟକ ମଧ୍ୟ ହାତ ଯୋଡ଼ି ଭୋଟ ଭିକ ମାଗିଛନ୍ତି ।

ପଦ୍ମପୁରରେ ସରକାର ବିରୋଧୀ ହାୱା ଦବାଇବା ପାଇଁ ୨୦୦ କୋଟି ଟଙ୍କାର ମରୁଡ଼ି ପ୍ୟାକେଜ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଘୋଷିତ ମରୁଡ଼ି ପ୍ରଭାବିତ ୧୦ଟି ଜିଲ୍ଲା ଭିତରେ ବରଗଡ଼ ଜିଲ୍ଲା ରହିଛି । ଚାଷୀଙ୍କ ଉପରେ ବିଜେଡି ସରକାର ଅନୁକମ୍ପା ବୃଷ୍ଟି କରିବା ପରେପରେ କେନ୍ଦ୍ରର ବିଜେପି ମେଂଟ ମଧ୍ୟ ଅନୁକମ୍ପା ବର୍ଷଣ କରିଛି । ଚାଷଜନିତ କ୍ଷତିପୂରଣ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ତୋମାର ଉଭୟ ରାଜ୍ୟ ସରକାର ଓ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ଦୀର୍ଘ ୯ ମାସ ଧରି ପଦ୍ମପୁର ଚାଷୀ ସେମାନଙ୍କ ଦାବି ପୂରଣ ପାଇଁ ସରକାରଙ୍କ ଉପରେ ଚାପ ପକାଇ ଆସୁଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ଉପରେ କରୁଣାର ଦୃଷ୍ଟି ପକାଉ ନଥିଲେ । ଉପନିର୍ବାଚନ କାରଣରୁ ଚାଷୀଙ୍କ ଉପରେ ବିଜେପି ଓ ବିଜେଡି ଦୃଷ୍ଟି ପଡ଼ିଛି ।

ସରକାରଙ୍କ ଘୋଷଣାରେ ପଦ୍ମପୁର ଚାଷୀ କେତେ ପ୍ରଭାବିତ ହୋଇଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ । ଚାଷୀଙ୍କ ଦାବିକୁ ବିଜେଡି, ବିଜେପି ଓ କଂଗ୍ରେସ ଯୁକ୍ତିଯୁକ୍ତ କହିଛନ୍ତି । ଚାଷୀଙ୍କ ଭୋଟ ଉପରେ ପଦ୍ମପୁର ଉପନିର୍ବାଚନର ପରିଣାମ ନିର୍ଭର କରୁଛି । ଧାମନଗର ଆସନ ତୁଳନାରେ ପଦ୍ମପୁର ଆସନର ଗୁରୁତ୍ୱ ସର୍ବାଧିକ । ଧାମନଗର ଆସନଟି ବିଜେପି ଦଖଲରେ ଥିଲା । ତେଣୁ ତାକୁ ଫେରିପାଇବା ବିଜେପି ପକ୍ଷେ ଅପେକ୍ଷାକୃତ ସହଜ ଥିଲା । ମାତ୍ର ପଦ୍ମପୁର ଆସନଟିକୁ ବିଜେଡି ହାତରୁ ଛଡ଼ାଇନେବା କାଠିକର ପାଠ ଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକପ୍ରକାର ପଳାୟନପନ୍ଥୀ ମୁଦ୍ରାରେ ଅଛନ୍ତି ।

ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ହାଇକ୍ଲାସ୍‌ ନାଟକକୁ ବିରୋଧୀ ଦଳର ନେତାମାନେ ପରିହାସ କରିଛନ୍ତି । ବିଜେପିର ଅନ୍ୟ ବରିଷ୍ଠ ନେତାମାନଙ୍କ ମୁଣ୍ଡରେ ଉପନିର୍ବାଚନ ଜିତିବାର ରଣକୌଶଳ ନାହିଁ । ଆଇଏଏସ୍‌ ଚାକିରି ଛାଡ଼ି ରାଜନୀତିରେ ପାଦ ଦେଇଥିବା ଦକ୍ଷ ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କ ମୁହଁରେ ତାଲା ପଡ଼ିଛି । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ କଥାରେ ସେତେ ଟାଣ ନାହିଁ । ସତେ ଯେପରି ଉଭୟ ବିଜେଡି ଓ ବିଜେପି ବରଗଡ଼ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି । ଧାମନଗର ଉପନିର୍ବାଚନରେ ବିଜେପିର ବହୁ ନେତା ମୁହଁଟାଣ ଦେଖାଇଥିଲେ । ହେଲେ ପଦ୍ମପୁରରେ ସବୁ ବିଜେପି ନେତାଙ୍କ ମୁହଁରେ ତାଲା ପଡ଼ିଛି ।