ନାମାଙ୍କନ ଦାଖଲ କଲେ ସଞ୍ଜୟ ଓ ସଞ୍ଜୟ

ଶିବସେନା ସାଂସଦ ସଞ୍ଜୟ ରାଉତ ଓ କୋଲାପୁର ଶିବସେନା ସଭାପତି ସଞ୍ଜୟ ପାୱାର…

ମୁମ୍ବାଇ: ଆସନ୍ତା ଜୁନ ୧୦ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ଓ କୋଲାପୁର ଶିବସେନା ସଭାପତି ସଞ୍ଜୟ ପାୱାର । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ସୁପ୍ରିମୋ ଶରଦ ପାୱାର ଓ ରାଜସ୍ୱ ମନ୍ତ୍ରୀ ବାଲାସାହେବ ଥୋରାଟଙ୍କ ଉପସ୍ଥିତିରେ ଉଭୟ ଦାଖଲ କରିଛନ୍ତି । ତେବେ ପୂର୍ବତନ ସାଂସଦ ସମ୍ବାଜୀରାଜେ ଛତ୍ରପତି ଏଥର ରାଜ୍ୟସଭା ନିର୍ବାଚନ ଲଢ଼ିବେ କି ନାହିଁ, ସେ ସମ୍ପର୍କରେ ଘୋଷଣା କରିବେ ।

ସପ୍ତାହକ ତଳେ ଛତ୍ରପତି ସ୍ୱାଧୀନ ଭାବେ ରାଜ୍ୟସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ । ଏଥିପାଇଁ ସେ ବ୍ୟକ୍ତିଗତ ଭାବେ ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଶରଦ ପାୱାରଙ୍କୁ ଫୋନ କରି ସମର୍ଥନ ଦେବାକୁ ଅନୁରୋଧ କରିଥିଲେ । ତେବେ ଏମାନେ ଛତ୍ରପତିଙ୍କୁ ସମର୍ଥନ କରିବେ କି ନାହିଁ, ସେକଥା ଜଣାପଡ଼ିନି ।

ଜୁଲାଇ ୪ରେ ଭେଟରାନ କଂଗ୍ରେସ ନେତା ପି ଚିଦାମ୍ବରମ, ଏନସିପିର ପ୍ରଫୁଲ ପଟେଲ, ବିଜେପିର ପୀୟୂଷ ଗୋଏଲ, ବିକାଶ ମହାତମେ ଓ ବିନୟ ସହସ୍ରବୁଦେ୍ଧ ଏବଂ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ରାଜ୍ୟସଭାର କାର୍ଯ୍ୟକାଳ ସରିବ । ପଟେଲ, ଚିଦାମ୍ବରମ, ଗୋଏଲ ଓ ରାଉତ ପୁଣିଥରେ ରାଜ୍ୟସଭାକୁ ନିର୍ବାଚିତ ହେବେ । ଶିବସେନା ପକ୍ଷରୁ ରାଉତ ଓ ପାୱାର ନାମାଙ୍କନ ଦାଖଲ କରିଥିଲେ ହେଁ କଂଗ୍ରେସ, ଏନସିପି ଓ ବିଜେପି ପକ୍ଷରୁ ଏଯାଏ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇନି ।