ଦୁଇ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବ ଶିବସେନା

ମେଂଟଭୁକ୍ତ ରାଜନୈତିକ ଦଳ ସହିତ..

ମୁମ୍ବାଇ: ସାଭରକରଙ୍କ ପ୍ରତି ରାହୁଲ ଗାନ୍ଧୀଙ୍କ ଅପମାନସୂଚକ ମନ୍ତବ୍ୟରେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀ । ଉଦ୍ଧବଙ୍କ ଗୋଷ୍ଠୀ କହିଛି ଯେ ସାଭରକରଙ୍କ ଦେଶପ୍ରେମ ଓ ବଳିଦାନ ସଂପର୍କରେ ରାହୁଲଙ୍କ ଟିପ୍ପଣୀକୁ ଶିବସେନା ସହଜରେ ଗ୍ରହଣ କରିପାରୁନି । ସାଭରକରଙ୍କ ନିଷ୍ଠାପର ଦେଶଭକ୍ତି ଓ ବୀରତ୍ୱକୁ ଉପଯୁକ୍ତ ସମ୍ମାନ କେବଳ ‘ଭାରତରତ୍ନ’ । ସାଭରକରଙ୍କୁ ‘ଭାରତରତ୍ନ’ରେ ସମ୍ମାନୀତ କରିବା ପାଇଁ ଶିବସେନା ସର୍ବଦା ଦାବି କରିଆସିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଭାରତ ଯୋଡୋ ଯାତ୍ରା କାଳରେ ସାଭରକରଙ୍କୁ ଅପମାନିତ କରିବା ଉଚିତ ହୋଇନାହିଁ ।

ସାଭରକରଙ୍କୁ ଅପମାନିତ କରି ରାହୁଲ ମେଂଟ ଧର୍ମକୁ ଠିକ୍‌ ଭାବେ ପାଳନ କରିନାହାନ୍ତି । ମେଂଟଭୁକ୍ତ ରାଜନୈତିକ ଦଳ ସହିତ ଆଲୋଚନା କରି ରାହୁଲ ସାଭରକରଙ୍କ ସଂପର୍କରେ ମନ୍ତବ୍ୟ ଦେବା ଉଚିତ ଥିଲା । ତେବେ ରାହୁଲ ଯାହା କହିଛନ୍ତି, ତାହା ତାଙ୍କର ନିଜସ୍ୱ ମତ । ତାଙ୍କ ମନ୍ତବ୍ୟ ସହିତ ଶିବସେନା କଦାପି ଏକମତ ନୁହେଁ ।

ଶିବସେନା ନେତା ସଞ୍ଜୟ ରାଉତଙ୍କ ସୂଚନା ମତେ କଂଗ୍ରେସ-ଏନ୍‌ସିପି ସହିତ ହାତ ମିଳାଇ ଶିବସେନା ଗଠନ କରିଥିଲା ମହା ଅଘାଡ଼ି ମେଂଟ । ସାଭରକରଙ୍କ ବୀରତ୍ୱ ପ୍ରତି ପ୍ରଶ୍ନ ଉଠାଇ ରାହୁଲ ଗାନ୍ଧୀ ମହା ଅଘାଡ଼ି ମେଂଟକୁ ଅପମାନିତ କରିସାରିଛନ୍ତି । ଏଣିକି ଶିବସେନା ମହାମେଂଟରେ ରହିବା ନରହିବା ଦଳପତିଙ୍କ ଉପରେ ନିର୍ଭର କରୁଛି । ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ ମଧ୍ୟ ସଞ୍ଜୟ ରାଉତଙ୍କ ଟିପ୍ପଣୀକୁ ପୂର୍ଣ୍ଣ ସମର୍ଥନ କରି କହିଛନ୍ତି, ରାହୁଲ ଗାନ୍ଧୀ ଯଦି ମହାମେଂଟ ଧର୍ମକୁ ଅଣଦେଖା କରି ଯାହା ମନକୁ ଆସୁଛି ବକୁଛନ୍ତି । ଶିବସେନା ନେତାମାନେ ମଧ୍ୟ ମେଂଟରେ ରହି ଦଳୀୟ ଧର୍ମ ପାଳନ କରିବେ । ଆମ କାମରେ କଂଗ୍ରେସ ହସ୍ତକ୍ଷେପ କଲେ ଆମେ ମହାମେଂଟ ଛାଡ଼ିବାକୁ ବାଧ୍ୟ ହେବୁ । ଆପଣମାନେ ବିଜେପି-ପିଡିପି ମେଂଟ ସଂପର୍କ ଦେଖିପାରନ୍ତି । ମେଂଟରେ ରହି ମଧ୍ୟ ବିଜେପି ପିଡିପି ନେତ୍ରୀ ମେହବୁବା ମୁଫତିଙ୍କୁ ଗୃହବନ୍ଦୀରେ ରଖିବାକୁ ପଛାଇନି । ମହାମେଂଟରେ ରହି କଂଗ୍ରେସ ନେତା ଶିବସେନାର ଗୌରବ ସାଭରକରଙ୍କୁ ଅପମାନିତ କରିବା ଠିକ୍‌ ହୋଇନି ।