କାହା ବଳରେ ସୁପ୍ରିମକୋର୍ଟଙ୍କୁ ଅବଜ୍ଞା କରୁଛି ପୁଲିସ

ସୁପ୍ରିମକୋର୍ଟଙ୍କୁ ଅବଜ୍ଞା..

ନୂଆଦିଲ୍ଲୀ: ଦୀର୍ଘଦିନ ରହି ଜେଲରେ ରହିବା ଓ ଉପଯୁକ୍ତ ଯତ୍ନ ଅଭାବରୁ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ସାମାଜିକ କର୍ମୀ ଗୌତମ ନଭଲାଖାଙ୍କୁ ଆବଶ୍ୟକ ଚିକିତ୍ସା ସେବା ବ୍ୟବସ୍ଥା କରିବା ପାଇଁ ସୁପ୍ରିମକୋର୍ଟ ଏନ୍ଆଇଏକୁ ଆଦେଶ ଦେଇଥିଲେ । ନଭଲାଖାକୁ ଗୃହବନ୍ଦୀରେ ରଖି ଡାକ୍ତରୀ ସେବା ଯୋଗାଇଦେବା ସହିତ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବାକୁ ଏନ୍ଆଇଏକୁ ଦାୟିତ୍ୱ ଦେଇଥିଲେ ମାନ୍ୟବର ସୁପ୍ରିମକୋର୍ଟ ।
ତେବେ ସୁପ୍ରିମକୋର୍ଟଙ୍କ ଆଦେଶନାମାକୁ ନିଷ୍ଠାପର ସହ ତୁଲାଇବା ପାଇଁ ଅପ୍ରସ୍ତୁତ ଏନ୍ଆଇଏ ସୁପ୍ରିମକୋର୍ଟରେ ସାନି ପିଟିସନ୍ ଦାଖଲ କରି ପୂର୍ବ ଆଦେଶର ପୁନଃବିଚାର ପାଇଁ ପ୍ରାର୍ଥନା କରିଥିଲା । ଏନ୍ଆଇଏର ପିଟିସନ୍ ଉପରେ ଦୃଷ୍ଟି ବୁଲାଇବା ପରେ ସୁପ୍ରିମକୋର୍ଟ ଗଭୀର କ୍ଷୋଭ ପ୍ରକାଶ କରି ପୂର୍ବ ଆଦେଶର ପୁନଃବିଚାର ଅନାବଶ୍ୟକ କହିଥିଲେ । ସୁପ୍ରିମକୋର୍ଟଙ୍କ ଆଦେଶକୁ ଏକ ସପ୍ତାହ ଅତିକ୍ରମ କରିଥିଲେ ମଧ୍ୟ ଏନ୍ଆଇଏ ଅଭିଯୁକ୍ତ ନଭଲାଖାଙ୍କୁ ଜେଲରୁ ବାହାର କରି ଅନ୍ୟତ୍ର ରଖାଇବାର ବ୍ୟବସ୍ଥା କରି ନଥିବାରୁ ଏନ୍ଆଇଏ’ର କର୍ତବ୍ୟ ପରାୟଣତା ପ୍ରତି କଟାକ୍ଷ କରିଥିଲେ ଖଣ୍ଡପୀଠ ।

ଏନ୍ଆଇଏ ପକ୍ଷରୁ ଖଣ୍ଡପୀଠରେ ହାଜର ସୋଲିସିଟର ଜେନେରାଲ ତୁଷାର ମେହଟ୍ଟା ଓ ଅତିରିକ୍ତ ସୋଲିସିଟର ଜେନେରାଲଙ୍କୁ ଭୀଷଣ ଗାଳି ଶୁଣିବାକୁ ପଡ଼ିଥିଲା । ଗୌତମ ନଭଲାଖାଙ୍କୁ ପୂର୍ଣ୍ଣ ସୁରକ୍ଷା ବଳୟରେ ରଖି ଚିକିତ୍ସା ସେବା ଯୋଗାଇ ଦେବାର ଦକ୍ଷତା ପୁଲିସ ଅବା ଏନ୍ଆଇଏ ପାଖରେ ଅଛି କି ନାହିଁ, ତାହାର ସ୍ପଷ୍ଟ ଜବାବ ଲୋଡ଼ିଛନ୍ତି ସୁପ୍ରିମକୋର୍ଟ । ସାଧାରଣ ଜନତାଙ୍କ ଧନଜୀବନ ସୁରକ୍ଷା ପାଇଁ ପୁଲିସ ପାଖରେ ସମୟ ନଥିବା ଅତ୍ୟନ୍ତ କ୍ଷୋଭର ବିଷୟ ।

୭୦ ବର୍ଷୀୟ ନଭଲାଖାଙ୍କ ଟିମ୍କୁ ଗୃହବନ୍ଦୀରେ ରଖିବା ପାଇଁ ଯୋଗ୍ୟ ଓ ସୁରକ୍ଷିତ ସ୍ଥାନଟିଏ ନିରୂପଣ କରିପାରିନି ଏନ୍ଆଇଏ । ଖଣ୍ଡପୀଠ ସଲିସିଟର ଜେନେରାଲ ମେହଟ୍ଟା ଓ ଅତିରିକ୍ତ ସଲିସିଟର ଜେନେରାଲ ଏସ୍ଭି ରାଜୁଙ୍କୁ ପ୍ରଶ୍ନ କରିଥିଲେ- ଜଣେ ରୋଗାକ୍ରାନ୍ତ ବୃଦ୍ଧଙ୍କୁ ପୁଲିସ ଜଗି ପାରିବ କି ନାହିଁ । ସୁପ୍ରିମକୋର୍ଟଙ୍କ ପ୍ରଶ୍ନର ଜବାବ ଦେବାକୁ ଏନ୍ଆଇଏ ସୋମବାର ପର୍ଯ୍ୟନ୍ତ ସମୟ ଲୋଡ଼ିଥିଲା । ତହୁଁ ଜଷ୍ଟିସ୍ କେଏମ୍ ଜୋସେଫ କହିଥିଲେ, ଆପଣମାନେ ଭାବୁଛନ୍ତି ମାମଲାଟିକୁ ଏପରି ଅଣଦେଖା କରାଯିବାର କାରଣ ଆମକୁ ଜଣାନାହିଁ । ଆମେ କିଛି ଜାଣିପାରୁନୁ, ଦେଖିପାରୁନୁ । ସୋମବାର ଆମେ କ’ଣ ପଦକ୍ଷେପ ନେବାକୁ ଯାଉଛୁ । ଆଜିଠାରୁ ଆଦେଶନାମା ପ୍ରସ୍ତୁତ କରୁଛୁ ।