ଘର ବୁଡ଼ି ପାଣି ଆଣ୍ଠୁଏ, ମେଘକୁ ଅନାଇଛନ୍ତି ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ୭୦୦ କୋଟି ଟଙ୍କାର ଆୟକର ନୋଟିସ୍‌ ପାଇଛି । ଆୟକର କବଳରୁ ଦଳକୁ ଉଦ୍ଧାର କରିବା କଥା ଛାଡ଼ି ରାହୁଲ ଗାନ୍ଧୀ କଂଗ୍ରେସକୁ ଜିତାଇବା ପାଇଁ ଲାଗି ପଡ଼ିଛନ୍ତି । ରାହୁଲ କହିଛନ୍ତି ଯେ ତାଙ୍କ ଦଳ କ୍ଷମତାକୁ ଯିବାପରେ ଆୟକର ବିଭାଗର ସବୁ ନୋଟିସର ଉଚିତ ଜବାବ ଦିଆଯିବ ।

ରାହୁଲ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ଆୟକର ବିଭାଗ ଶୁକ୍ରବାର ସକାଳେ କଂଗ୍ରେସ ନିକଟକୁ ୧୭୦୦ କୋଟି ଟଙ୍କାର ନୂଆ ଡିମାଣ୍ଡ ନୋଟିସ୍‌ ପଠାଇଛି । ଉକ୍ତ ଡିମାଣ୍ଡ ନୋଟିସ୍‌ ୨୦୧୭-୧୮ରୁ ୨୦୨୦-୨୧ ପର୍ଯ୍ୟନ୍ତ । ଉକ୍ତ ନୋଟିସରେ ଜରିମାନା ସହିତ ସୁଧକୁ ମିଶାଇ ଦିଆଯାଇଛି ।

ନିର୍ବାଚନ ପୂର୍ବରୁ ଆୟକର ନୋଟିସ୍‌ ଜାରି କରି ବିଜେପି କଂଗ୍ରେସକୁ ଶକ୍ତ ଝଟକା ଦେଇଛି । ତା’ଠାରୁ ଆହୁରି ଚିନ୍ତାର ବିଷୟ ହେଉଛି, ମାର୍ଚ୍ଚ ୨୮ ତାରିଖ ଦିନ ଦିଲ୍ଲୀ ହାଇକୋର୍ଟ କଂଗ୍ରେସର ଟ୍ୟାକ୍ସ ଆସେସମେଂଟ ସଂକ୍ରାନ୍ତ ଏକ ପିଟିସନକୁ ବିଚାରଯୋଗ୍ୟ  ମଣିନାହାନ୍ତି । ପିଟିସନଟି ଖାରଜ ହୋଇଯାଇଛି ।

କଂଗ୍ରେସ ନେତା ଅଜୟ ମାକନ କହିଛନ୍ତି, ଆୟକର ବିଭାଗ ଯୋଉ ମାପଦଣ୍ଡରେ କଂଗ୍ରେସ ନିକଟରୁ ୧୭୦୦ କୋଟି ଟଙ୍କା ଆଦାୟ କରିବାକୁ ବସିଛି । ସେହି ମାପଦଣ୍ଡ ମୁତାବକ ବିଜେପି ନିକଟରୁ ୪୬୦୦ କୋଟି ଟଙ୍କା ଆଦାୟ କରାଯିବା ଯୁକ୍ତିସଂଗତ ।