ଜନଜାତି ବର୍ଗକୁ ଶାସକ ବିଜେଡି କେବଳ ଭୋଟବ୍ୟାଂକ ଭାବେ ବ୍ୟବହାର କରିଚାଲିଛି

ଜନଜାତିବର୍ଗଙ୍କ ସାମ୍ବିଧାନିକ ଅଧିକାର ଛଡ଼ାଇ ନେଇଛନ୍ତି ରାଜ୍ୟ ସରକାର: ଡ.ଲେଖାଶ୍ରୀ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଜନଜାତି ସଂପ୍ରଦାୟଙ୍କ ସଶକ୍ତିକରଣ ଏବଂ ସେମାନଙ୍କ ପରଂପରାର ସଂରକ୍ଷଣ ପାଇଁ ମୋଦି ସରକାର ସଂକଳ୍ପବଦ୍ଧ ।ଜନଜାତି ବର୍ଗ ଲୋକଙ୍କ ପାଇଁ ମୋଦୀ ସରକାର ସମ୍ମାନ, ଅଧିକାର ଓ ସୁଯୋଗ ଯୋଗାଇ ଦେବା ସହ ବିକାଶ ଲାଗି ଅନେକ ଯୋଜନା କରିଛନ୍ତି । ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ସମାନ ଅଧିକାର ଦେବା ପାଇଁ ସଦାସର୍ବଦା ପ୍ରଚେଷ୍ଟା କରୁଛନ୍ତି । ମୋଦୀ ସରକାର ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ର ବଜେଟ୍‌ରେ ୪ଗୁଣା ବୃଦ୍ଧି କରି ୨୨ ହଜାର କୋଟି ଟଙ୍କାରୁ ୮୮ ହଜାର କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ସେହିପରି ଜନଜାତି ଛାତ୍ରବୃତି ପରିମାଣକୁ ୯୭୮ କୋଟିରୁ ୨୭୨୬ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଏକଲବ୍ୟ ବିଦ୍ୟାଳୟ ସଂଖ୍ୟା ୯୦ରୁ ୫୧୨ ପହଂଚିଲାଣି ।ଜନଜାତି ସଂସ୍କୃତି ଓ ପରଂପରାର ସଂରକ୍ଷଣ ପାଇଁ ସମଗ୍ର ଦେଶରେ ୧୦ଟି ସ୍ୱାଧିନତା ସଂଗ୍ରାମୀ ସଂଗ୍ରାହଳୟ ପ୍ରତିଷ୍ଠା କରାଯାଇଛି । ଜଙ୍ଗଲ ଅଧିକାରରେ ୨ଗୁଣା ବୃଦ୍ଧି କରାଯାଇ ୧୦୩.୫ ଟକ୍ଷ ଏକରରେ ପଂହଚିଛି । ଦେଶରେ ପ୍ରଥମ ଥର ପାଇଁ ଅଣଅନୁସୁଚିତ, ଯାଯାବର ଓ ଅର୍ଦ୍ଧ ଯାଯାବର ସମୁଦାୟଙ୍କ ବିକାଶ ଓ କଲ୍ୟାଣ ପାଇଁ ସ୍ୱତନ୍ତ୍ର ବୋର୍ଡ ଗଠନ କରାଯାଇଛି । ଜନଜାତି ବର୍ଗଙ୍କ ଆର୍ଥକ ଅଭିବୃଦ୍ଧି ପାଇଁ ଅନେକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି ମୋଦି ସରକାର ।ଦେଶର ୧୧୭ଟି ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ ଓ ସମୃଦ୍ଧି କରିବା ପାଇଁ ମୋଦୀ ସରକାର ଆକାଂକ୍ଷା ଜିଲ୍ଲା ଭାବେ ନିଜ ହାତକୁ ନେଇଛନ୍ତି । ଅନ୍ୟ ପଟେ ରାଜ୍ୟର ଜନଜାତି ବର୍ଗଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନ, ଆଇନଶୃଙ୍ଖଳା ଆଦି ଯୋଗାଇ ଦେବାରେ ବିଫଳ ଶାସକ ବିଜେଡି ତାଙ୍କ ସାମ୍ବିଧାନି ଅଧିକାର ଛଡାଇ ନେଇଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

>ଜନଜାତିଙ୍କ ଉପରେ ଅତ୍ୟାଚାର ଓ ପୋଲିସଠାର ନ୍ୟାୟ ନମିଳିବାରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି
>ଜନଜାତି ବର୍ଗଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନ, ଆଇନଶୃଙ୍ଖଳା ଆଦି ଯୋଗାଇ ଦେବାରେ ବିଫଳ ଶାସକ ବିଜେଡି
>ପେସା ଆଇନକୁ ରାଜ୍ୟ ସରକାର ଜାଣିଶୁଣି କାର୍ଯ୍ୟକାରୀ ନକରି ସମସ୍ତ କ୍ଷମତା ନିଜେ ଜାବୁଡି ଧରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲାପାଳ ଓ ପ୍ରଶାସନ ହାତରେ ନ୍ୟସ୍ତ କରିଛନ୍ତି
>ଗ୍ରାମସଭା ଦ୍ୱାରା ସ୍ଥାନୀୟ ଜନଜାତି ଅଂଚଳର ବିକାଶ ବିଷୟରେ ଚିନ୍ତା ନ କରାଯାଇ ସେଠାରେ ଥିବା ଜିଲ୍ଲାପାଳ ଶାସକ ବିଜେଡିକୁ ସୁହାଇବା ଭଳି ଜନଜାତି ବିରୋଧୀ କାର୍ଯ୍ୟ କରୁଛନ୍ତି
>ଆଦିବାସୀଙ୍କୁ ଦୀର୍ଘ ବର୍ଷ ଧରି ପଟ୍ଟା ଦିଆଯାଉନାହିଁ
>ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରିବା ପାଇଁ ମଧ୍ୟ ବ୍ୟବସ୍ଥାକୁ ସଠିକ ଭାବେ ଲାଗୁ କରାଯାଇନାହିଁ
>ଏସଡିସି ଏବଂ ଟିଏସି ବୈଠକ ଅନୁଷ୍ଠିତ ନହେବା କାରଣରୁ ଜନଜାତିବର୍ଗଙ୍କ ବହୁ ସମସ୍ୟାର ସମାଧାନ ହୋଇପାରୁନାହିଁ
>ଆଦିବାସୀ ଅଧ୍ୟୁଷିତ ଖଣି ଅଂଚଳର ବିକାଶ ପାଇଁ ସ୍ୱତନ୍ତ୍ର ଡିଏମଏଫ ପାଂଠିରେ ଗଚ୍ଛିତ ଥିବା ୧୬ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କାକୁ ବ୍ୟାପକ ଭାବେ ହରିଲୁଟ୍‌ କରୁଛନ୍ତି ଶାସକ ବିଜେଡି ନେତା ଓ କର୍ମୀ

ଆଜି ରାଜ୍ୟ କାର୍ଯ୍ୟଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ କହିଛନ୍ତି ଯେ, ଦେଶରେ ସର୍ବାଧିକ ଜନଜାତି ଥିବା ରାଜ୍ୟ ହେଲା ଓଡ଼ିଶା । ଓଡ଼ିଶା ଜନସଂଖ୍ୟାର ପ୍ରାୟ ୨୪% ହେଉଛନ୍ତି ଆଦିବାସୀ ଏବଂ ୬୨ଟି ସମ୍ପ୍ରଦାୟ ଓ ୧୩ଟି ପିଭିଟିଜି ସଂପ୍ରଦାୟର ଜନଜାତି ବସବାସ କରନ୍ତି । ବର୍ତମାନ ସୁଦ୍ଧା ଅଧିକାଂଶ ଜନଜାତି ଅଂଚଳରେ ବିକାଶ ପହଂଚିପାରିନାହିଁ । ଜନଜାତିଙ୍କୁ ସାମ୍ବିଧାନିକ ଅଧିକାର ଯୋଗାଇ ଦେବା ପାଇଁ ପ୍ରଣୟନ ହୋଇଥିବା ପେସା ଆଇନକୁ ରାଜ୍ୟ ସରକାର ଜାଣିଶୁଣି କାର୍ଯ୍ୟକାରୀ ନକରି ସମସ୍ତ କ୍ଷମତା ନିଜେ ଜାବୁଡି ଧରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲାପାଳ ଓ ପ୍ରଶାସନ ହାତରେ ନ୍ୟସ୍ତ କରିଛନ୍ତି ।ଗ୍ରାମସଭା ଦ୍ୱାରା ସ୍ଥାନୀୟ ଜନଜାତି ଅଂଚଳର ବିକାଶ ବିଷୟରେ ଚିନ୍ତା ନ କରାଯାଇ ସେଠାରେ ଥିବା ଜିଲ୍ଲାପାଳ ଶାସକ ବିଜେଡିକୁ ସୁହାଇବା ଭଳି ଜନଜାତି ବିରୋଧୀ କାର୍ଯ୍ୟ ହାତକୁ ନେଉଛନ୍ତି ଏବଂ ଏହା ଦ୍ୱାରା ଜନଜାତି ବର୍ଗ ଜଙ୍ଗଲ ଅଧିକାର ଆଇନରୁ ବଂଚିତ ହେଉଛନ୍ତି । ଜନଜାତିଙ୍କୁ ତାଙ୍କ ନ୍ୟାର୍ଯ୍ୟ ଜଙ୍ଗଲ ଜମି ଅଧିକାରରୁ ବଂଚିତ ରଖୁଥିବାବେଳେ ସରକାରୀ ଜମି ହଡପକାରୀଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ରାଜ୍ୟ ସରକାର ।ଆଦିବାସୀଙ୍କୁ ଦୀର୍ଘ ବର୍ଷ ଧରି ପଟ୍ଟା ଦିଆଯାଉନାହିଁ ଅନ୍ୟ ପଟେ ଜଙ୍ଗଲକୁ ଗଲେ ବନ ବିଭାଗ ଜୁଲମ କରୁଛି । ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରିବା ପାଇଁ ମଧ୍ୟ ବ୍ୟବସ୍ଥାକୁ ସଠିକ ଭାବେ ଲାଗୁ କରାଯାଇନାହିଁ । ଜନଜାତି ବର୍ଗକୁ ଶାସକ ବିଜେଡି କେବଳ ଭୋଟବ୍ୟାଂକ ଭାବେ ବ୍ୟବହାର କରିଚାଲିଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

ରାଜ୍ୟରେ ୬୫% ଆଦିବାସୀ ଶିଶୁ ରକ୍ତ ହୀନତାର ଓ ଅପପୁଷ୍ଟିର ଶିକାର । ଏନଏଫଏଚଏସ-୫ ତଥ୍ୟ ଅନୁଯାୟୀ ବଲାଙ୍ଗୀର, କନ୍ଧମାଳ, ଦେବଗଡ଼, ସୁବର୍ଣ୍ଣପୁର ଓ ମୟୂରଭଞ୍ଜ ଆଦି ଅଧିବାସୀ ବହୁଳ ଜିଲ୍ଲାରେ ଶିଶୁମାନଙ୍କଠାରେ ଗୁରୁତର ପୁଷ୍ଟିହୀନତା ଜନିତ ସମସ୍ୟା ବହୁତ ଅଧିକ । ରାଜ୍ୟରେ ପ୍ରାୟ ଅପହଂଚ ଗାଁ ସଂଖ୍ୟା ୨,୪୭୬ରୁ ୧,୩୨୬ ଗାଁ କେବଳ ୫୦% ଆଦିବାସୀ ବସବାସ କରୁଥିବା ୯ଜିଲ୍ଲା ଗୁଡ଼ିକରେ ଅବସ୍ଥିତ ।

୨୦୨୦ରେ ଓଡିଶାରେ ଅନୁସୁଚିତ ଜନଜାତି ବର୍ଗଙ୍କ ବିରୋଧରେ ଅପରାଧ ମାମଲା ୬୨୪ଟି ରୁଜୁ ହେବା ସହ ଏହା ଦେଶରେ ଚତୁର୍ଥ ସର୍ବାଧିକ ଥିଲା । ଗତ ବର୍ଷ ୧୧୪ଟି ଦୁଷ୍କର୍ମ ମାମଲା ଅର୍ଥାତ ଏସିଟିଙ୍କ ବିରୋଧରେ ଦେଶରେ ପଂଚମ ସର୍ବାଧିକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଧମକ ଦିଆଯାଉଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ଏସଟି ବିରୋଧରେ ଅପରାଧ ପାଇଁ ୫୬୪ଜଣଙ୍କୁ ଗିରଫ କରାଯାଇଥିବାବେଳେ ବର୍ଷକ ମଧ୍ୟରେ ୫୭୫ମାମଲାରେ ପୋଲିସ ଚାର୍ଜସିଟ ଦାଖଲ କରାଯିବା ସତ୍ୱେ ଜଣଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇନଥିଲା । ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର ଓ ପୋଲିସଠାର ନ୍ୟାୟ ନମିଳିବାରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି । ଦଳିତ ବିରୋଧୀ ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ଅତ୍ୟନ୍ତ ନଗଣ୍ୟ । ଅଧିକାଂଶ ମାମଲାରେ ଚାର୍ଜସିଟ୍‌ ଦାଖଲ କରାଯାଉନାହିଁ । ଏହି କାରଣରୁ ଜନଜାତି ବର୍ଗ ଆଜି ଅସୁରକ୍ଷିତ ହୋଇପଡିଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

ଜନଜାତି ବହୁଳ ଜିଲ୍ଲାଗୁଡ଼ିକର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ସଂରକ୍ଷଣ, ପ୍ରଜାତିକ, ପରିଚିତିର ସ୍ଥିତାବସ୍ଥା ବଜାୟ ରଖିବା ସହିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର ୨୦୧୯ନିର୍ବାଚନ ପୂର୍ବରୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ଗଠନ କରିଥିଲେ । ମାତ୍ର ନିର୍ବାଚନ ପରେ ସ୍ଥାଣୁ ହୋଇଯାଇଛି ଏହି ପରିଷଦ । ପ୍ରଥମ ଅଧ୍ୟକ୍ଷଙ୍କ ଇସ୍ତଫା ପରେ ସରକାର ଯେପରି ଏହାକୁ ଭୁଲିଯାଇଛନ୍ତି ।ସଠିକ ପ୍ରଚାର ପ୍ରସାର ଅଭାବରୁ ୨୧ଟି ଜନଜାତି ଭାଷା ପ୍ରାୟ ବିଲୁପ୍ତ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଟ୍ରାଇବାଲ ଆଫାୟାର୍ସ ବୈଠକ ଅନୁଷ୍ଠିତ ନହେବା କାରଣରୁ ଜନଜାତିବର୍ଗଙ୍କ ବହୁ ସମସ୍ୟାର ସମାଧାନ ହୋଇପାରୁନାହିଁ । ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିରୋଧରେ ଅତ୍ୟାଚାର ବଢ଼ୁଛି ସେମାନେ ହିଂସା ଏବଂ ଦ୍ୱେଷର ଶିକାର ହେଉଛନ୍ତି । ଓଡ଼ିଶାରେ ମାଗଣା ଆଇନ ସହାୟତା ସୁବିଧା ପାଉଥିବା ଜନଜାତି ମହିଳାଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । ଆଦିବାସୀ ଅଧ୍ୟୁଷିତ ଖଣି ଅଂଚଳର ବିକାଶ ପାଇଁ ସ୍ୱତନ୍ତ୍ର ଡିଏମଏଫ ପାଂଠିରେ ଗଚ୍ଛିତ ଥିବା ୧୬ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କାକୁ ଶାସକ ବିଜେଡି ନେତା ଓ କର୍ମୀମାନେ ବ୍ୟାପକ ଭାବେ ହରିଲୁଟ୍‌ କରିବା କାରଣରୁ ବିକାଶ ବାଧାପ୍ରାପ୍ତ ହେଇଛି । ଜନଜାତି ବର୍ଗର ବିକାଶ ପାଇଁ ରହିଥିବା ଆଇଟିଡିଏ ବିଭାଗରେ ବ୍ୟାପକ ମାତ୍ରାରେ ଦୁର୍ନୀତି ହେଉଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ମନୋଭାବକୁ ସ୍ପଷ୍ଟ କରୁଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଏବଂ ସହମୁଖ୍ୟ ସୁଜିତ୍‌ କୁମାର ଦାସ୍‌ ପ୍ରମୁଖ ଉପସ୍ଥିତ ଥିଲେ ।