‘ନବୀନ’ ଶବ୍ଦଟି ଆରପିଡିକୁ ଭାରି ବାସୁଛି

ଏ ଉକ୍ତି ଆମର ନୁହେଁ । ଯୋଉ ଯୋଉ ବିଧାନସଭା ଆସନରେ ପଶୁଛି ରାଷ୍ଟ୍ରୀୟ ପରିବର୍ତନ ଦଳ; ସେହି ଅଂଚଳର ଲୋକମାନେ କୁହାକୁହି ହେଉଛନ୍ତି । ଶୁଣିବାକୁ ମିଳୁଛି, ରାଷ୍ଟ୍ରୀୟ ପରିବର୍ତନ ଦଳ ୨୦୨୪ ନିର୍ବାଚନରେ ଭାଗ ନେବନି; କିନ୍ତୁ ‘ନବୀନ’ ଶବ୍ଦଟିକୁ ଜପିଜପି ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀ ବୁଲିବ । ସେ ସଂପର୍କରେ ଦଳର ମୁଖପାତ୍ର ସୀତାରାମ ବେହେରା କହନ୍ତି, ‘ଆମେ ନିର୍ବାଚନର ଫଳାଫଳ ଜାଣିଛୁ । ତେଣୁ ଭାଗ ନେଇ ଲୋକହସା ହେବାକୁ ଚାହୁଁନୁ । ନବୀନ ବାବୁ ମୁଖ୍ୟମନ୍ତ୍ରୀ ଆସନରେ ଥିବା ଯାଏ ଆଉ କୋଉ ଦଳ ଓଡ଼ିଶାରେ ସରକାର କରି ପାରିବନି ।

ସବୁଠାରୁ ବଡ଼କଥା ହେଉଛି, ନବୀନଙ୍କ ପାଖରେ ପାଣ୍ଡିଆନଙ୍କ ଭଳି ସଚ୍ଚୋଟ ଲୋକଟିଏ ଅଛନ୍ତି । ରାଜ୍ୟ ପାଇଁ ପାଣ୍ଡିଆନ ସଚ୍ଚୋଟ ହେବା ଦରକାର ନାହିଁ । ନବୀନଙ୍କ ନିକଟରେ ପାଣ୍ଡିଆନ ସଚ୍ଚୋଟ ହେବା ଜରୁରୀ ।

ବିଜେପି ଓ କଂଗ୍ରେସ ଦଳରେ ପାଣ୍ଡିଆନଙ୍କ ଭଳି ଲୋକଟିଏ ନାହିଁ ବୋଲି ସେ ଦୁଇଟି ଦଳ ଲୋକଙ୍କ ପାଖରେ ପହଂଚିବାକୁ ଡରିବା ଆରମ୍ଭ କଲେଣି ।

କଂଗ୍ରେସ ଓ ବିଜେପିକୁ ହରାଇବାକୁ ପଡ଼ିବନି । ଟିକେଟ୍‌ ବଂଟା କଳିରେ ସେମାନେ ଆପେ ଆପେ ହଣାକଟା ହୋଇ ମରିଯିବେ ।

ବିଜେଡିରେ ଟିକେଟ ବଂଟା କଳି ହେବ; କିନ୍ତୁ ନବୀନ ଓ ପାଣ୍ଡିଆନଙ୍କ ସାମ୍ନାରେ ସେମାନେ ଜିଭ କାମୁଡ଼ି ନିରବ ରହିବାକୁ ବାଧ୍ୟ ରହିବେ । ବିଜେଡିର ବଡ଼ବଡ଼ ନେତାମାନଙ୍କ କୁଣ୍ଡଳୀ ପାଣ୍ଡିଆନଙ୍କ ପାଖରେ ରହିଛି । ମାତ୍ର ପାଣ୍ଡିଆନଙ୍କ କୁଣ୍ଡଳୀ କାହା ପାଖରେ ନାହିଁ ।

୨୦୨୪ ନିର୍ବାଚନରେ କଂଗ୍ରେସ, ବିଜେଡି, ବିଜେପି କସରତ ହେବ । ଅନ୍ୟ ସବୁ ଦଳଗୁଡ଼ିକ ନାମକୁ ମାତ୍ର ଲଢ଼ିବେ । ନାମକୁ ମାତ୍ର ଲଢ଼ି ସହିଦ ହେବା ରାଷ୍ଟ୍ରୀୟ ପରିବର୍ତନ ଦଳ ଚାହୁଁନି।

ଆମର ମେରୁଦଣ୍ଡ ଭାରି ଦୁର୍ବଳ । ନିର୍ବାଚନ ଲଢ଼ିବାର ତାକତ୍‌ ଆମ ପାଖରେ ନାହିଁ କହି ରାଷ୍ଟ୍ରୀୟ ପରିବର୍ତନ ଦଳ ହାତ ଟେକିଦେଇଛି ।